ଦୁର୍ନୀତିଗ୍ରସ୍ତଙ୍କୁ ମୂଳରୁ ଓପାଡି ଫିଙ୍ଗିବେ ମୋହନ ସରକାର

କେତେବେଳେ ବି ବନ୍ଧା ହୋଇ ପାରନ୍ତି!

ଭୁବନେଶ୍ବର, ୨୮/୧୦: ଦୁର୍ନୀତିଖୋର ଅଧିକାରୀଙ୍କୁ ତ୍ରାହି ନାହିଁ। କେତେବେଳେ ବି ମାଡି ବସିପାରେ ଭିଜିଲାନ୍ସ। ମୂଳରୁ ଓପାଡି ଫିଙ୍ଗିବେ ମୋହନ ସରକାର। ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ମତେ ଛଡା ଯିବ ନାହିଁ। ଏ ନେଇ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ଉତ୍ସବର ଉଦଘାଟନୀ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ତତ୍ପର ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଲାଞ୍ଚ ଓ ସରକାରୀ ପାଣ୍ଠି ଦୁର୍ନୀତି ଅଭିଯୋଗରେ ବହୁ ଅଧିକାରୀ ଏପର୍ଯ୍ୟନ୍ତ ଗିରଫ ହୋଇ ସାରିଲେଣି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀ, ଅବକାରୀ ବିଭାଗର ଜଣେ ଯୁଗ୍ମ କମିଶନର, ସିଟି ଆଣ୍ଡ ଜିଏସଟିର ଜଣେ ସହକାରୀ କମିଶନର, ଓଏସଆରଟିସିର ଜଣେ ମୁଖ୍ୟ ହିସାବ ଅଧିକାରୀ, ମତ୍ସ୍ୟ ବିଭାଗର ଜଣେ ଉପନିର୍ଦ୍ଦେଶକ, ଜଣେ ମୁଖ୍ୟ ସିଭିଲ୍ ସପ୍ଲାଇ ଅଧିକାରୀ, ଦୁଇ ତହସିଲଦାର, ଦୁଇ ଜଣ ବିଡିଓ, ଜଣେ ବନାଞ୍ଚଳ ଅଧିକାରୀ, ଜଣେ ଜେଲ ଅଧୀକ୍ଷକ, ଜଣେ ଡାକ୍ତର ଏବଂ ୭ ଜଣ ପୋଲିସ ଅଧିକାରୀ ଅଛନ୍ତି। ଜନସେବାରେ ସଚ୍ଚୋଟତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଆମେ ଉତ୍ସର୍ଗୀକୃତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦୁର୍ନୀତି ହେଉଛି ବିକାଶରେ ମୁଖ୍ୟ ବାଧକ। ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଉ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରହିଛି। ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ତାଙ୍କର ଦୁଇଟି ସ୍ଥାନ ରହିଛି- ଜେଲ୍ କିମ୍ବା ଅନ୍ୟ ଦେଶକୁ ପଳାୟନ କରିବା। ପୂର୍ବ ସରକାର ସମୟରେ ୫-ଟି ପ୍ରଚଳନ ବେଳେ ବହୁ ଦୁର୍ନୀତି ହୋଇଥିଲା। କିନ୍ତୁ ଏବେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ଆଉ ତ୍ରାହି ନାହିଁ। କେତେବେଳେ ବି ସେମାନଙ୍କୁ ବାନ୍ଧି ଜେଲ ପଠାଇ ଦେବେ ମୋହନ ସରକାର। ତେଣୁ ଦୁର୍ନୀତି କରିବା ପୂର୍ବରୁ ସେମାନେ ବହୁ ଥର ଚିନ୍ତା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।