ସ୍ଵର୍ଗଦ୍ଵାରରେ ବଦଳିବ ଶବଦାହ ପ୍ରକ୍ରିୟା

ଶବଦାହ ପାଇଁ ବ୍ୟବହାର ହେବନି କାଠ!

ପୁରୀ, ୨୯/୧୦: ପୁରୀ ସ୍ୱର୍ଗଦ୍ୱାରରେ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଶବଦାହ ପ୍ରକ୍ରିୟା। ଜାଳେଣି କାଠ ପରିବର୍ତ୍ତେ ଗୋବର ଘଷିରେ ଶବଦାହ କରାଯିବ। ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ଶବ ସତ୍କାର ପାଇଁ ଘଷି ଭଳି ଜୈବ ଇନ୍ଧନ ବ୍ୟବହାର କରିବା ପାଇଁ ବିଚାର କରିଛୁ। ବର୍ତ୍ତମାନ ସ୍ୱର୍ଗଦ୍ୱାର ପରିଚାଳନା କରୁଥିବା ପରିଚାଳକଙ୍କଠାରୁ ମତାମତ ନିଆଯିବ ଏବଂ ସେହି ଅନୁଯାୟୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ଗାଈର ସୁରକ୍ଷା, ଗୋଶାଳାର ସମ୍ପ୍ରସାରଣ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ଗୋବର ଓ ଗୋମୂତ୍ରର ବ୍ୟବହାର ଅଧିକ ଉପାୟ ଉପରେ ବିଚାର କରିବ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ଦିଲ୍ଲୀରେ ଗୋବର ଘଷି ବ୍ୟବହାର ହୋଇ ଶବ ସତ୍କାର କରାଯାଉଛି।