କଂଗ୍ରେସ ସହ ମିଶି ସରକାର ଗଢିବ ବିଜେଡ଼ି: ଅତନୁ
ଦିବା ସ୍ୱପ୍ନ ଦେଖୁଛି ବିଜେଡ଼ି: ମୋକିମ
ବିଜେପି ଯୋଗାଯୋଗରେ ବିଜେଡ଼ିର ୨୭ ବିଧାୟକ: ସରୋଜ
ଭୁବନେଶ୍ୱର, ୧୧/୧୧: ରାଜ୍ୟରେ ପୁଣି ସରକାର ଗଢିବ ବିଜେଡ଼ି। ପୁଣି ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ। ଅତନୁ ବିଜେଡ଼ିର ସରକାର ଗଠନକୁ ନେଇ ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି, କଂଗ୍ରେସ, ସ୍ୱାଧୀନ ଓ ଅନ୍ୟ ମାନଙ୍କ ସହ ମିଶି ସରକାର ଗଢ଼ିବ। ବିଜେଡ଼ିର ୫୧ ବିଧାନସଭା ସଦସ୍ୟ, କଂଗ୍ରେସର ୧୪ ଓ ୩ ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ସରକାର ଗଠନ ପାଇଁ ଆଉ ବାକି ୧୦ ଜଣ ସଦସ୍ୟ ଆବଶ୍ୟକ। କିଛି ବିଜେପି ସଦସ୍ୟ ଖୁବ ଶୀଘ୍ର ବିଜେଡ଼ିକୁ ଆସିବେ।
ଅତନୁଙ୍କ ବୟାନକୁ କାଉଣ୍ଟର କରି ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅତନୁ ଭୂଆଁ ବୁଲାଉଛନ୍ତି ଓ ବାହାସ୍ଫୋଟ ମାରୁଛନ୍ତି। ବିଧାୟକଙ୍କୁ କିଣିଲେ ସେମାନେ ଯାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ୬ରୁ ୭ ଜଣ ବିଧାୟକ ବିଜେପିର ଏକ ତୃତୀୟାଂଶ ନୁହଁନ୍ତି। ଏକ ତୃତୀୟାଂଶ ନ ହେଲେ ସଭ୍ୟ ପଦ ରଦ୍ଦ ହୋଇଯିବ। ଅତନୁଙ୍କୁ ଗଣିତ ଜଣା ଅଛି କି ନାହିଁ ବୋଲି କହିଛନ୍ତି। ସେହିପରି ବିଜେଡିର ବହୁ ନେତା ବିଜେପିକୁ ଆସିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପାଢୀ କହିଛନ୍ତି। ସେ କହିଛନ୍ତି, ବିଜେଡ଼ିର ୨୭ ବିଧାୟକ ବିଜେପିର ସମ୍ପର୍କରେ ଅଛନ୍ତି। ୩ ଦିନ ତଳେ ୨୭ ବିଧାୟକ ଏକାଠି ହୋଇଥିଲେ। ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ଅଛନ୍ତି। ସେହିପରି ୨୦୨୯ ବେଳକୁ କଂଗ୍ରେସ ୫ ଫାଳରେ ବିଭକ୍ତ ହୋଇଯାଇଥିବ ବୋଲି ଶ୍ରୀ ପାଢୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ଅତନୁ ସବ୍ୟସାଚୀ ଓ ସରୋଜ ପାଢୀଙ୍କ ବୟାନକୁ ନେଇ ଉଭୟ ଦଳ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ। ମୋକିମ କହିଛନ୍ତି, ଆଗାମୀ ଦିନରେ କଂଗ୍ରେସ ନିଜସ୍ଵ ସରକାର ଗଢ଼ିବ। ବିଜେଡ଼ି ଦିବା ସ୍ୱପ୍ନ ଦେଖୁଛି। ଅତନୁଙ୍କ କଥାରେ ସତ୍ୟତା ନାହିଁ। ଯେନତେନ ପ୍ରକାର ସରକାର ଗଢ଼ିବାକୁ ଚାହୁଁଛି ବିଜେଡ଼ି। ଦିଲ୍ଲୀରେ ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା ବିଜେଡି। ବିଜେଡ଼ି ବିଶ୍ୱାସର ଯୋଗ୍ୟ ନୁହେଁ। ଆମେ କେବେ ବିଜେଡ଼ିକୁ ଯିବୁନି ବୋଲି ମୋକ୍କିମ କହିଛନ୍ତି।