ଭୁବନେଶ୍ୱର,୧୧/୧୧: ରାଜ୍ୟରେ ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ନର୍ସିଂ କ୍ୟାଡର ପିନ୍ଧିବେ ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ନର୍ସିଂ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲା।
ନୂଆ ଡ୍ରେସ୍ କୋଡରେ ସମ୍ବଲପୁରୀ ଛିଟ ରହିବ। ନର୍ସିଂ ଅଫିସର ଓ ସିନିୟର ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ ହାଲୁକା ବାଇଗଣୀ ରଙ୍ଗ ହେବ। ଉଭୟ ପୁରୁଷ ଓ ମହିଳା ନର୍ସଙ୍କ ପାଇଁ ଏହି ନୂଆ ଡ୍ରେସ୍ କୋଡ଼ ଲାଗୁ ହେବ। ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ (ଏଏନଏସ) ପାଇଁ ସାଇନ ବ୍ଲୁ ବା ନୀଳ ରଙ୍ଗ ଏବଂ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ (ଡିଏନଏସ) ଓ ନର୍ସିଂ ସୁପରିଟେଣ୍ଡେଣ୍ଟ (ଏନଏସ) ପାଇଁ ଡ୍ରେସ୍ କୋଡ୍ ଧଳା ରହିବ। ମହିଳାମାନେ ଧଳା ଶାଢ଼ୀ ସହ ସମ୍ବଲପୁରୀ ଛିଟ ଜ୍ୟାକେଟ ପିନ୍ଧିବେ। ପୁରୁଷମାନଙ୍କ ଧଳା ଜ୍ୟାକେଟର କୋଲାରରେ ସମ୍ବଲପୁରୀ ଛିଟ ରହିବ।
ପୂର୍ବରୁ ନର୍ସ ମାନଙ୍କ ଡ୍ରେସ୍ କୋଡ଼ ପରିବର୍ତ୍ତନ ପାଇଁଁ ନର୍ସିଂ ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା। ନର୍ସଙ୍କ ୧୧ ଦଫା ଦାବିରେ ଅନ୍ତର୍ଭୁକ୍ତ ଥିଲା ଡ୍ରେସ୍ କୋଡ଼ ପରିବର୍ତ୍ତନ ପ୍ରସଙ୍ଗ। ପରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।