ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ
ବିଜେପି ଓ କଂଗ୍ରେସ ପରସ୍ପର ଦଳର ନେତାଙ୍କ ବିରୋଧରେ ଇସିଆଇଙ୍କ ନିକଟରେ ଫେରାଦ ହୋଇଥିଲେ।
ଜେପି ନଡ୍ଡା ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇସିଆଇଙ୍କ ନୋଟିସ
ନୂଆଦିଲ୍ଲୀ, ୧୬/୧୧: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନେତାମାନେ କ୍ୟାମ୍ପେନିଂ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଉଭୟ ଦଳର ବରିଷ୍ଠ ନେତାଙ୍କୁ ନୋଟିସ ଜାରି କରିଛନ୍ତି ଇସିଆଇ।
ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଦାଖଲ କରିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉଦ୍ଦେଶ୍ୟରେ ପୃଥକ ଚିଠି ଲେଖି ମୁଖ୍ୟ ନିର୍ବାଚନ ଆୟୋଗ ଉଭୟ ଦଳର ଅଭିଯୋଗ ଉପରେ ଜବାବ ମାଗିଛନ୍ତି।
ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସର ଷ୍ଟାର ପ୍ରଚାରକମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ନଭେମ୍ବର ୧୧ ତାରିଖରେ ବିଜେପି ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଖଡଗେଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ସେହିପରି ନଡ୍ଡାଙ୍କୁ ଲେଖିଥିବା ଚିଠିରେ ନିର୍ବାଚନ ଆୟୋଗ ନଭେମ୍ବର ୧୩ ତାରିଖରେ ନିର୍ବାଚନ ପ୍ରଚାର ସମୟରେ ବିଜେପିର ଷ୍ଟାର ପ୍ରଚାରକଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି କଂଗ୍ରେସ ଦ୍ୱାରା ଦାଖଲ କରାଯାଇଥିବା ଦୁଇଟି ଅଭିଯୋଗକୁ ଉଲ୍ଲେଖ କରିଛନ୍ତି।
ସୋମବାର ଅପରାହ୍ନ ୧ଟା ସୁଦ୍ଧା ଜବାବ ଦାଖଲ କରିବାକୁ ଉଭୟ ଦଳର ମୁଖ୍ୟଙ୍କୁ କୁହାଯାଇଛି।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ପ୍ରଚାର କରିବା ସମୟରେ ସମ୍ବିଧାନ ବିଷୟରେ ମିଥ୍ୟା ବୟାନ ଦେଇଥିବା ଏବଂ ରାଜ୍ୟ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ମିଛ କହୁଥିବା ଅଭିଯୋଗ କରି ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା।
ଅନ୍ୟପଟେ କଂଗ୍ରେସ ମଧ୍ୟ ଦୁଇଟି ଅଭିଯୋଗ ଦାଖଲ କରିଥିଲା। ଗୋଟିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏବଂ ଅନ୍ୟଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇସିଆଇଙ୍କ ନିକଟରେ ଫେରାଦ ହୋଇଥିଲା। କଂଗ୍ରେସ ବିରୋଧରେ ସେମାନେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ “ମିଥ୍ୟା, ବିଭାଜନକାରୀ” ଭାଷଣ ଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ।