ନୂଆଦିଲ୍ଲୀ, ୧୭/୧୧: ମଣିପୁରରେ ପୁଣି ଅଶାନ୍ତି ବୃଦ୍ଧି ପାଇଛି। କୁକି ଓ ମୈତେଇ ଗୋଷ୍ଠୀଙ୍କ ମଧ୍ୟରେ ଅଶାନ୍ତ ଦେଖା ଦେଇଛି। ଗତ ସୋମବାରଠାରୁ ମଣିପୁରର ଜିରିବାମରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିବାର ଦୁଇ ଦିନ ପରେ ରବିବାର ସକାଳେ ସେହି ସ୍ଥାନରୁ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଜିରିବାମ ସୀମାରେ ଥିବା ଆସାମର କଚାର ଜିଲ୍ଲାର ବାରାକ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ରବିବାର ମିଳିଥିବା ମୃତଦେହର ପରିଚୟ ମିଳିନଥିବା ବେଳେ ଏହା ନିଖୋଜ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏହା ପରେ ଜିରିବାମରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା।
ଜିରିବାମ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡର ଶନିବାର ଇମ୍ଫାଲ ପର୍ଯ୍ୟନ୍ତ ବ୍ୟାପିଥିଲା। ଇମ୍ଫାଲରେ ବିକ୍ଷୋଭ ଆରମ୍ଭ କରିବା ସହ ବିଭିନ୍ନ ବିଜେପି ନେତାଙ୍କ ଘରକୁ ମଧ୍ୟ ଟାର୍ଗେଟ କରିଥିଲେ ବିଦ୍ରୋହୀ। ଶନିବାର ବିଳମ୍ବିତ ରାତିରେ ଇମ୍ଫାଲର ହିଙ୍ଗାଙ୍ଗରେ ଥିବା ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବ୍ୟକ୍ତିଗତ ବାସଭବନରେ ମଧ୍ୟ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହା ପରେ ଇମ୍ଫାଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା। ରାଜ୍ୟର ୭ ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।