ସ୍ୱାଭାବିକ ହେଉଛି କି ଭାରତ-ଚୀନ ସମ୍ପର୍କ
ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଭେଟିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ଭାରତରୁ କୈଳାସ ମାନସରୋବରକୁ ଯାତ୍ରା ପୁନଃ ଆରମ୍ଭ ପାଇଁ ଉଭୟ ପକ୍ଷ ରାଜି!
ନୂଆଦିଲ୍ଲୀ, ୧୯/୧୧: ଧିରେ ଧିରେ ସୁଧୁରୁଛି ଭାରତ-ଚୀନ ସମ୍ପର୍କ। ସମ୍ପର୍କରେ ସୁଧାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏହା ସହ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ହେବାକୁ ଯାଉଛି। ଏ ନେଇ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୟିଙ୍କୁ ଭେଟି ଏହି ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ମସିହାରେ କୋଭିଡ ମହାମାରୀ କାରଣରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସିଧାସଳଖ ବିମାନ ଚଳାଚଳ ଉପରେ କଟକଣା ଲାଗିଥିଲା। କିନ୍ତୁ କୋଭିଡର ପ୍ରକୋପ କମିବା ପରେ ବି ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇନଥିଲା। ସେହି ବର୍ଷ ମେ ମାସରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଭାରତର ୨୦ ଜଣ ସେନା ଯବାନ ସହିଦ ହୋଇଥିଲେ ଓ ଚୀନ ମଧ୍ୟ ବହୁ କ୍ଷତି ସହିଥିଲା। ସେବେ ଠାରୁ ଉଭୟ ଦେଶ ମଧ୍ୟରେ ସୀମାକୁ ନେଇ ବହୁ ବିବାଦ ଦେଖାଦେଇଛି। ଭଗବାନ ଶିବଙ୍କ ଆବିର୍ଭାବ ସ୍ଥଳୀ କୁହାଯାଉଥିବା କୈଳାସ ମାନସରୋବରକୁ ମଧ୍ୟ ଯାତ୍ରା ବନ୍ଦ ରହିଥିଲା।
ତେବେ ପୂର୍ବ ଲଦାଖର ଦୁଇଟି ବିବାଦୀୟ ଅଞ୍ଚଳ ଡେପସାଙ୍ଗ ଏବଂ ଡେମଚୋକରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଏବେ ବିମାନ ଚଳାଚଳ ପାଇଁ ଉଭୟ ଦେଶ ଆଗେଇଛି। ଯାହା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଧିରେ ସୁଧୁରୁଛି।