ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ
ଏକେ-୪୭ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଜବତ କଲା ସୁରକ୍ଷାବାହିନୀ।
୨୦୨୪ରେ ନିପାତ ହେଲେଣି ୨୫୭ ନକ୍ସଲ
ନୂଆଦିଲ୍ଲୀ, ୨୨/୧୧: ଆଜି ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ଘଟଣାସ୍ଥଳରୁ ଏକେ-୪୭ ରାଇଫଲ ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ।
ଶୁକ୍ରବାର ସକାଳେ ନକ୍ସଲମାନଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଭଣ୍ଡାରପଦର ଜଙ୍ଗଲ ଅଞ୍ଚଳରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା।
ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ସମସ୍ତ ୧୦ଟି ମୃତଦେହ ଉଦ୍ଧାର କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଛତିଶଗଡ଼ ପାଇଁ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହା ପରେ ସୁରକ୍ଷାବାହିନୀ ପକ୍ଷରୁ ମାଓ ମୁକ୍ତ ଅଭିଯାନକୁ ଆହୁରି ଆଗେଇ ନିଆଯାଉଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିବା ସହ ଏକାଉଣ୍ଟ୍ ମଧ୍ଯ କରାଯାଉଛି।
୨୦୨୪ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ୨୫୭ ନକ୍ସଲ ନିହତ ହୋଇଥିବା ବେଳେ ୮୬୧ ଜଣ ଗିରଫ ହୋଇଛନ୍ତି ଏବଂ ୭୮୯ ଜଣ ଆତ୍ମସମର୍ପଣ କରିଛନ୍ତି। ଗତ କାଲି ଛତିଶଗଡ଼ ସୀମାନ୍ତ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଜିଲେନଗୁଡା ନିକଟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିଲା।