ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ

ଭୁବନେଶ୍ୱର,(ଦର୍ଶନ): ରାଜ୍ୟରେ ବଢିଚାଲିଛି ହତ୍ୟା, ଛିନତାଇ, ଚୋରି ଭଳି ଅପରାଧ । ଏହାରି ମଧ୍ୟରେ ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି । ଏସପିଙ୍କ ବଦଳି ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବାର୍ ଆସୋସିଏସନ୍, ସିଭିଲ ସୋସାଇଟି, ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି, ଯାହାଫଳରେ ଆଜି ୧୨ ଘଣ୍ଟା ପାଇଁ ବାଲେଶ୍ୱର ସହର ବନ୍ଦ ରହିବ । ଏହାର ପ୍ରଭାବରେ ଆଜି ସକାଳୁ ସହରର ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଛି ।

ତେବେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବାଲେଶ୍ଵର ଜିଲ୍ଲାରେ ଦେଖା ଦେଇଥିବା ବେଳେ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ସ୍ଥାନୀୟ ଫାଣ୍ଟାସି ହୋଟେଲ୍ ସଭାଗୃହରେ ଅନୁଷ୍ଠିତ ଏକ ମିଳିତ ପ୍ରସ୍ତୁତି ବୈଠକରେ ଆହ୍ବାନ ଦିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଓ ଯୁବ ଛାତ୍ର, ମହିଳା ସଙ୍ଗଠନମାନଙ୍କର ପ୍ରତିନିଧିଙ୍କ ସମେତ ୧୦ରୁ ଅଧିକ ବିଭିନ୍ନ ସଙ୍ଗଠନର ସାମୁହିକ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ ନିଆଯାଇଥିଲା ।

ବାଲେଶ୍ବରରେ ଲଗାତାର ହତ୍ୟା, ଛିନତାଇ, ଚୋରି, ରାହାଜାନି ଓ ବହୁଳ ନିଶା କାରବାର ଫଳରେ ଶାନ୍ତିପ୍ରିୟ ଜିଲ୍ଲାବାସୀଙ୍କ ଧନ, ଜୀବନ ଓ ସମ୍ମାନ ରକ୍ଷା କରିବାରେ ପୋଲିସର ବିଫଳତାକୁ ବକ୍ତାମାନେଚରମ ଦାୟୀ କରି ଜିଲ୍ଲାବ୍ୟାପୀ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନଙ୍କ ସଙ୍ଗଠନର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଜିଲ୍ଲାବାସୀ ଏହି ବନ୍ଦକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ବାର ଆସୋସିଏସନ ସଭାପତି ମନୋଜ ନାୟକ କହିଛନ୍ତି, ‘‘ବାଲେଶ୍ୱର ଏବେ ଅପରାଧୀ ମାନଙ୍କର ଭୂସ୍ବର୍ଗ ପାଲଟି ଯାଇଛି। ପୋଲିସ ବିଭାଗର ଅପାରଗତା ପାଇଁ ଦିନକୁ ଦିନ କ୍ରାଇମ ବଢ଼ିବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଏଥି ପାଇଁ ସବୁ ବର୍ଗର ଲୋକେ ଏକତ୍ରିତ ହୋଇ ସାର୍ବଜନୀନ ନିଷ୍ପତ୍ତି କ୍ରମେ ୧୬ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ କେବଳ ଆମେ  ନୁହେଁ ସାଧାରଣ ଲୋକ ମଧ୍ୟ ଭାଗ ନେବେ।”

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ କିଛି ଦିନ ହେବ ବାଲେଶ୍ୱର ସହରରେ ହତ୍ୟା, ରାହଜାନୀ, ଲୁଟ ଭଳି ଜଘନ୍ୟ ଅପରାଧ ଘଟିବାରେ ଲାଗିଛି। ଏନେଇ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି ହେଲେ ସିରିଜ ଲୁଟର ଯେଉଁ ଚେନ୍ ଲମ୍ବିଛି ତାକୁ ଧରିବାରେ ପୋଲିସ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି ନାବାଳକ ଏହି ଲୁଟ କରୁଥିବା ଅଭିଯୋଗ ହେଉଥିବା ବେଳେ ଏନେଇ ପୋଲିସର ଗୋଇନ୍ଦା ବିଭାଗ ଫେଲ୍ ବୋଲି କୁହାଯାଉଛି।