ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ: ବିଦାୟୀ ରାଜ୍ୟପାଳ ରଘୁବର ଦାସ
ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, ୨୫/୧୨: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ଦାସ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ସେ ଓଡ଼ିଶା ଓ ଓଡ଼ିଶାର ଲୋକମାନଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛି । ଏହି ରାଜ୍ୟ କେବଳ ପ୍ରାକୃତିକ ସମ୍ବଳ ନୁହେଁ ବରଂ ଅଦ୍ୱିତୀୟ ପ୍ରାକୃତିକ ସୁନ୍ଦରତା, ସୁବିସ୍ତୀର୍ଣ୍ଣ ସମୁଦ୍ର ତଟ, ସବୁଜ ବନାନୀ ଓ ଭବ୍ୟ ମନ୍ଦିର ପାଇଁ ସୁପ୍ରସିଦ୍ଧ । ନିଜର ସମୃଦ୍ଧ ସଂସ୍କୃତି, ଗୌରବଶାଳୀ ପରମ୍ପରା ପାଇଁ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଲୋକମାନଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ମୋ ହୃଦୟରେ ଗଭୀର ଛାପ ଛାଡ଼ିଛି । ପରମ୍ପରାକୁ ପାଥେୟ କରି ପ୍ରଗତି ଆଡ଼କୁ ଅଗ୍ରସର ହେବାରେ ଓଡ଼ିଶାର ସଫଳତା ବାସ୍ତବିକ୍ ପ୍ରେରଣାଦାୟୀ । ମୁଁ ଓଡ଼ିଶା ଲୋକମାନଙ୍କର ଅଦମ୍ୟ ଭାବନାକୁ ଅତି ନିକଟରୁ ଦେଖିଛି । ଆହ୍ୱାନକୁ ସମ୍ମୁଖୀନ କରିବା, ପର୍ବପର୍ବାଣୀରେ ଉଲ୍ଲସିତ ହେବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମିଳିମିଶି କାମ କରିବା ଓଡ଼ିଶାବାସୀଙ୍କର ବିଶେଷ ଗୁଣ । ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଦାୟୀ ରାଜ୍ୟପାଳ କହିଛନ୍ତି । ଏବେ ମୁଁ ବିଦାୟ ନେବାବେଳେ ଓଡ଼ିଶା ଓ ଏଠାକାର ଲୋକମାନଙ୍କ ପ୍ରତି ମୋର ସୁଖଦ ସ୍ମୃତି ଏବଂ ଗଭୀର ସମ୍ମାନ ସର୍ବଦା ମୋ ସହିତ ସର୍ବଦା ରହିବ । ମୁଁ ଓଡ଼ିଶାର ନିରନ୍ତର ବିକାଶ ଓ ସମୃଦ୍ଧି କାମନା କରୁଛି ବୋଲି ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ।