ନବୀନ ଓ ନୀତୀଶଙ୍କୁ ମିଳୁ ଭାରତରତ୍ନ

ରାଜ୍ୟର ବିକାଶ ପାଇଁ ଉଭୟଙ୍କ ଅବଦାନ ଅତୁଳନୀୟ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ନୂଆଦିଲ୍ଲୀ, ୨୫/୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମରେ ବିଜେପିର ବର୍ତ୍ତମାନର ସହଯୋଗୀ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମେଣ୍ଟ ସହଯୋଗୀ ତଥା ବିଜେଡ଼ି ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ଏବଂ ଉଭୟଙ୍କୁ ଭାରତରତ୍ନ ଦେବା ପାଇଁ ଦାବି କରିଛନ୍ତି।

ନୀତିଶ କୁମାର କ୍ଷମତାକୁ ଆସିବା ପୂର୍ବରୁ ବିହାର ବିପର୍ଯ୍ୟସ୍ତ ରାସ୍ତା, ସ୍କୁଲ ଓ କୋଠା ପାଇଁ ଜଣାଶୁଣା ଥିଲା, କିନ୍ତୁ ଏବେ ରାଜ୍ୟକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି ନୀତିଶ। ସେହିଭଳି ନବୀନ ପଟ୍ଟନାୟକ ଏତେ ବର୍ଷ ଧରି ଓଡ଼ିଶାର ସେବା କରିଥିଲେ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ସେମାନଙ୍କ ଭଳି ନେତାମାନେ ଭାରତ ରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ପାଇବାକୁ ଯୋଗ୍ୟ। ନୀତିଶ କୁମାରଙ୍କ ନେତୃତ୍ୱରେ ପୁଣି ଏନଡିଏ ସରକାର ଗଠନ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଜୋର ଦାବି ହେଉଥିଲା। କିନ୍ତୁ କେନ୍ଦ୍ର ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଉନଥିବା ବେଳେ ଏବେ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ନିଜେ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି।