ରାୟଗଡ଼ା(ଦର୍ଶନ ନ୍ୟୁଜ), ୨୫/୧୨: ଜିଲାରେ ଚାଉଳ ଓ ଅନ୍ୟ ଖାଦ୍ୟଶସ୍ୟ ରଖିବା ପାଇଁ ସ୍ଥାନର ଘୋର ଅଭାବ ରହିଛି। ଏଭଳିକି ମିଲରମାନେ ନେଇଥିବା ଧାନ ବାବଦର ଚାଉଳ ଫେରାଇବା ବେଳେ ସ୍ଥାନର ଅଭାବ କାରଣରୁ ସେମାନଙ୍କ ଠାରୁ ସଠିକ୍ ସମୟରେ ଚାଉଳ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି। ମାଣ୍ଡିଆ ମଧ୍ୟ ଏଠିସେଠି ପଡି ରହୁଛି। କିନ୍ତୁ ସରକାରୀ ଗୋଦାମ ଏକ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଡା ସୂତ୍ରରେ ଦିଆଯାଇଛି। ଯାହା ରାୟଗଡ଼ା ସହରରେ ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଯେ, ରାୟଗଡା ସହରର ଆରଏମସି ମାର୍କେଟ ୟାର୍ଡ ନିକଟରେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟ ବିଭାଗର କେନ୍ଦ୍ରୀୟ ୱେର ହାଉସିଂ ନିଗମର ୧୧ହଜାର ୪୦୦ ମାଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ ଗୋଦାମ ରହିଛି। ଏଫସିଆଇ ଗୋଦାମ ଭଳି ଏହି ଗୋଦାମ ମଧ୍ୟ ଖାଦ୍ୟଶସ୍ୟ ରଖିବା ପାଇଁ ନିର୍ମିତ ହୋଇଥିଲା। ସୂଚନା ମୁତାବକ ୨୦୨୦ ମସିହା ପର୍ଯ୍ୟନ୍ତ ଏହି ଗୋଦାମରେ ଚାଉଳ, ଗହମ ଭଳି ଖାଦଶସ୍ୟ ରଖାଯାଉଥିଲା। କପା ସଂଗ୍ରହ ଋତୁରେ ଏହି ଗୋଦାମରେ ସିସିଆଇ ପକ୍ଷରୁ କପା ରଖାଯାଉଥିଲା। କିନ୍ତୁ ୨୦୨୧ ମସିହା ପରଠାରୁ ଏହି ଗୋଦାମ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଡା ସୂତ୍ରରେ ପ୍ରଦାନ କରାଯାଇଛି। ସେମାନଙ୍କ ଠାରୁ ମାସିକ ଭଡା ନେଇ ପ୍ରଦାନ ହେଉଥିବା ପରିଲିକ୍ଷିତ ହୋଇଛି। ବର୍ତମାନ ଜେକେ ପେପରମିଲକୁ ଏହି ଗୋଦାମ ଭଡାରେ ଦିଆଯାଇଛି। ବର୍ଗ ମିଟର ପିଛା ୧୬୮ ଟଙ୍କା ହିସାବରେ ୩୦୪୬ ବର୍ଗ ମିଟର ଭଡାରେ ଦିଆଯାଇଥିବା ସୂଚନା ମିଳିଛି। କାଗଜକଳରେ ଉତ୍ପାଦିତ କାଗଜ ରଖିବା ପାଇଁ କାରଖାନା ପରିସରରେ ସ୍ଥାନର ଅଭାବ ଥିବା ଯୋଗୁଁ ଏହି ଗୋଦାମ ଭଡାରେ ନେଇଛି ଜେକେ ପେପରମିଲ। ୱେର ହାଉସିଂ ନିଗମର କୋଲକାତା ସ୍ଥିତ ଆଂଚଳିକ କାର୍ଯ୍ୟାଳୟ କର୍ତୃପକ୍ଷ ଚୁକ୍ତି କରି ଗୋଦାମ ଭଡାରେ ଦେଇଛନ୍ତି। ଅନ୍ୟ କିଛି ସ୍ଥାନରେ ଘରୋଇ କପା ମିଲ୍ ତରଫରୁ କପା ବେଲ୍ ରଖାଯାଇଛି। ଯାହାଫଳରେ ଚାଉଳ ଓ ମାଣ୍ଡିଆ ଭଳି ଖାଦଶସ୍ୟ ରଖିବା ପାଇଁ ସ୍ଥାନର ଘୋର ଅଭାବ ଦେଖାଦେଉଛି। ଏଭଳିକି ଏହି କାରଣ ପାଇଁ ମିଲର ଧାନ ସଂଗ୍ରହ କରୁନାହାଁନ୍ତି। ସଠିକ ସମୟରେ ଚାଉଳ ନେବାକୁ ସେମାନେ ଦାବି କରୁଛନ୍ତି। କିନ୍ତୁ ସ୍ଥାନ ଅଭାବରୁ ଯୋଗାଣ ବିଭାଗ ଚାଉଳ ନେଇ ପାରୁନାହିଁ। ନିକଟରେ ଧାନ ମିଲରମାନେ ଏହି ସମସ୍ୟା ସମାଧାନ କରିବା ପାଇଁ ସରକାରଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସରକାର ଏନେଇ କୌଣସି ନିଷ୍ପତି ନେଇନଥିବା ଉଦବେଗଜନକ ବୋଲି ମିଲରମାନେ କହିଛନ୍ତି। ତେବେ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ନିର୍ମାଣ ହୋଇଥିବା ସରକାରୀ ଗୋଦାମ କେଉଁ ପରିସ୍ଥିତିରେ ଭଡ଼ାରେ ଦିଆଯାଇଛି ତାହା ତଦନ୍ତସାପେକ୍ଷ। ଏ ସମ୍ପର୍କରେ ୱେର ହାଉସ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ବିଭାଗୀୟ ନିଷ୍ପତି ଅନୁସାରେ କାମ କରୁଛୁ ବୋଲି କହିଛନ୍ତି।