ଉତ୍କଳ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ ବୁଧବାର କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି।

ସମାଜସେବା ପାଇଁ ଦୃଢ଼ ମନୋବଳ ଜରୁରୀ: ପ୍ରଭାସ ଆଚାର୍ଯ୍ୟ

ଭୁବନେଶ୍ବର, ୨୫।୧୨: ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ ବୁଧବାର କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ସମାଜସେବା ପାଇଁ ଦୃଢ଼ ମନୋବଳ ଆବଶ୍ୟକ। ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତ୍ତିତା ଜରୁରୀ। ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍‌ ବିଶ୍ବାଳ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ ଦିଗରେ ଉତ୍କଳ ସାମ୍ବାଦିକତା ବିଭାଗ ଆଲୁମିନି କାର୍ଯ୍ୟ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଅତିଥି ଅଧ୍ୟାପକ ଡ. ଭି.ଆର୍‌. ରାଜୁ ଯୋଗଦେଇ କହିଥିଲେ, ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ରହିବା ସହ ସମାଜସେବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ସାମ୍ବାଦିକତା ବିଭାଗର ମିନତୀ ଭୋଳ, ଡ. ରମାକାନ୍ତ ମହାନନ୍ଦ, ପୁରାତନ ଛାତ୍ର ମନୋଜ ବିଶ୍ବାଳ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ ରଥ, ମାନସ କୁମାର ଭଞ୍ଜ, ପ୍ରଭୁଦତ୍ତ ସାମଲ, ସୁଜ୍ଞାନୀ ଦଳାଇ, ହିତେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅବିନାଶ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।