ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ତୁରନ୍ତ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
ଭୁବନେଶ୍ୱର, ୩୦/୧୨: ରାଜ୍ୟରେ ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଚାଷ ଜମିକୁ ବୁଲି ଦେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଶ୍ରୀ ପଟ୍ଟନାୟକ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି, ଶେରଗଡ଼, ଆସ୍କା ଓ କବିସୂର୍ଯ୍ୟନଗର ଯାଇ କ୍ଷତିଗ୍ରସ୍ତ ଫସଲ କ୍ଷେତ ଦେଖି କିଛି ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ପରିସ୍ଥିତିର ସମୀକ୍ଷା କରିବା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ଗସ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଚାଷୀଙ୍କ ସହ ଭେଟି ନବୀନ ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ମୁଁ ସବୁବେଳେ କୃଷକଙ୍କ ସହିତ ଅଛି ଏବଂ ସେମାନଙ୍କ ଅଧିକାର ଓ ସମ୍ମାନ ପାଇଁ ଲଢ଼େଇ ଜାରି ରଖିବି। ଗଞ୍ଜାମ ଜିଲ୍ଲାର ଚାଷୀମାନେ ଫସଲ ଅମଳ ସମୟରେ ଫସଲ ନଷ୍ଟ ହେବା ପରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେଣୁ ରାଜ୍ୟ ସରକାର ବିଳମ୍ବ ନକରି ସେମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।