ଓଡ଼ିଶାରେ ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ବାହାରିଲେ ୪୧ ପଜିଟିଭ

ଭୁବନେଶ୍ୱର ,(ଦର୍ଶନ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଜଣାପଡିଛି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୭୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୨, କଟକରୁ ୫ ଓ ଷ୍ଟେଟପୁଲରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସକ୍ରିୟ ସଂଖ୍ୟା ୧୭୭ରେ ପହଞ୍ଚିଛି । ମୋଟ ପଜିଟିଭ ସଂଖ୍ୟା ୧୨,୮୮,୭୩୭ ଥିବା ବେଳେ ସେଥିରୁ ୧୨,୭୯,୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୨,୨୧୩ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୦୩କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ ମାମଲା ୫୮,୨୧୫ ଥିବା ବେଳେ ୨୪ ଘଣ୍ଟାରେ ୭ ହଜାର ୬୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୬ ଲକ୍ଷ ୭୪ ହଜାର ୭୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।