ଦେଶରେ ପ୍ରଥମ ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ୍
ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ହେବ ସମାନ ଆଇନ।
ଜାନୁଆରୀ ୨୭କୁ ୟୁସିସି ଦିବସ ଭାବେ ପାଳନ କରାଯିବ
ଉତ୍ତରାଖଣ୍ଡ, ୨୭/୦୧: ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରି ଇତିହାସ ରଚିଲା ଉତ୍ତରାଖଣ୍ଡ। ଆଜିଠୁ ରାଜ୍ୟରେ ଲାଗୁ ହେଲା ଏକକ ଆଇନ। ଦେଶରେ ପ୍ରଥମ କରି ଉତ୍ତରାଖଣ୍ଡ ଆଣିଲା ୟୁସିସି। ଆଜି ୟୁସିସି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ରହିବ ସମାନ ଆଇନ। ବାହାଘର, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ, ସମ୍ପତ୍ତି ଭାଗବଣ୍ଟା ଓ ଲିଭ୍ ଇନ ରିଲେସନସିପ ପ୍ରସଙ୍ଗରେ ସମାନ ଆଇନ ଲାଗୁ କରାଯିବ।
ୟୁସିସିରେ ବାହାଘର ପରି ଲିଭ୍ ଇନ ରିଲେସନସିପ ପାଇଁ ମଧ୍ୟ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ। ଅବିବାହିତ ପୁଅ ଓ ଝିଅ ଏକାଠି ରହିବାକୁ ଚାହୁଁଥିଲେ ପଞ୍ଜୀକରଣ କରିବେ। ଏହି ପଞ୍ଜୀକରଣର ଅବଧି ୬୦ ଦିନ ରହିବ। ଲିଭ୍ ଇନ ରିଲେସନସିପରୁ ଜନ୍ମ ସନ୍ତାନଙ୍କୁ ଆଇନଗତ ଅଧିକାର ମିଳିବ। ସେମାନଙ୍କ ସରକାରୀ ପ୍ରମାଣପତ୍ରରେ ପୁଅ କିମ୍ବା ଝିଅ ବୋଲି ଉଲ୍ଲେଖ ରହିବ ନାହିଁ। ବରଂ ସନ୍ତାନ ବୋଲି ଲେଖାଯିବ।
ବାଲ୍ୟବିବାହ, ଏକାଧିକ ବିବାହ ଓ ତିନି ତଲାକ କଡ଼ା କଟକଣା ଲାଗିବ। ବିବାହ ବିଚ୍ଛେଦ ପାଇଁ ସବୁ ଧର୍ମରେ ସମାନ ଆଇନ ରହିବ। ବିବାହ ପାଇଁ ପୁଅଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ଝିଅଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ବାଧ୍ୟତାମୂଳକ ହେବ। ସେହିପରି ପୁଅ ହେଉ କି ଝିଅ ବଂଶର ଉତ୍ତରାଧିକାରୀଙ୍କ ସମ୍ପତ୍ତିରେ ସମାନ ଭାଗ ରହିବ ଓ ସମାନ ନିୟମ ଲାଗୁ ହେବ।
ୟୁସିସି ପୋର୍ଟାଲର ଶୁଭାରମ୍ଭ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ରାଜ୍ୟରେ ସବୁ ଧର୍ମ ପାଇଁ ଏକାଧିକ ବାର ବହୁ ବିବାହ ନିଷେଧ କରାଯାଇଛି। କୌଣସି ଧର୍ମର ବ୍ୟକ୍ତିଙ୍କୁ ତାଙ୍କ ଜୀବନସାଥୀ ବଞ୍ଚିଥିବା ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଧର୍ମରେ ବିବାହ ପାଇଁ ସର୍ବନିମ୍ନ ବୟସ ବାଧ୍ୟତାମୂଳକ କରାଯାଇଛି। ପୁଅ ପାଇଁ ୨୧ ବର୍ଷ ଏବଂ ଝିଅ ପାଇଁ ୧୮ ବର୍ଷ ରହିଛି। ଲିଭ୍ ଇନ୍ ରିଲେସନସିପ୍ ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ଲିଭ୍ ଇନ୍ ରିଲେସନ୍ ସିପରୁ ଜନ୍ମ ହୋଇଥିବା ପିଲାଙ୍କୁ ମଧ୍ୟ ସମାନ ସମ୍ପତ୍ତି ଅଧିକାର ମିଳିବ। ସବୁ ଧର୍ମ ଓ ସମ୍ପ୍ରଦାୟରେ ଝିଅମାନଙ୍କୁ ପିତାମାତାଙ୍କ ସମ୍ପତ୍ତିରେ ସମାନ ଅଧିକାର ଦିଆଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ଆହୁରି ମଧ୍ୟ କହିଛନ୍ତି ଯେ, ଭେଦଭାବ ଦୂର କରିବା ପାଇଁ ୟୁନିଫର୍ମ ସିଭିଲ କୋଡ୍ ଏକ ସାମ୍ବିଧାନିକ ପଦକ୍ଷେପ। ଏହା ମାଧ୍ୟମରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ପ୍ରୟାସ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ପ୍ରକୃତ ଅର୍ଥରେ ମହିଳା ସଶକ୍ତୀକରଣ ସୁନିଶ୍ଚିତ ହେବ। ଏହା ମାଧ୍ୟମରେ ହଲାଲ, ବହୁବିବାହ, ବାଲ୍ୟ ବିବାହ, ତିନି ତଲାକ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ। ଏହା ସହିତ ଜାନୁଆରୀ ୨୭ କୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ ଦିବସ ଭାବେ ପାଳନ କରାଯିବ ବୋଲି ଧାମୀ କହିଛନ୍ତି।