୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ ଚାମ୍ପିଅନ ଭାରତ
ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି।
ଦେଶ ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ, ୦୨/୦୨: ଇତିହାସ ରଚିଲା ଭାରତ। ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଜିତିଛି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରର ବୟୁମାସ ଓଭାଲରେ ଦକ୍ଷିଣ ଆଫ୍ରିକା ଅଧିନାୟିକା କାଇଲା ରେନେକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮୨ ରନ୍ କରିଥିବା ବେଳେ ଏହାର ଜବାବରେ ଟିମ୍ ଇଣ୍ଡିଆ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିଥିଲା
ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିବାରୁ ଦକ୍ଷିଣ ଆଫ୍ରିକା କେବେ ବି ନିୟନ୍ତ୍ରଣକୁ ଆସିନଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାଇକ୍ ଭାନ୍ ଭୋର୍ଷ୍ଟ (୧୮ ବଲ୍ ରେ ୨୩ ରନ୍), ଜେମା ବୋଥା (୧୪ ବଲ୍ ରେ ୧୬ ରନ୍), ଫାଏ କାଉଲିଙ୍ଗ୍ (୨୦ ବଲ୍ ରେ ୧୫ ରନ୍) ଦେଇଥିଲେ। ଭାରତ ପକ୍ଷରୁ ତ୍ରିଶା ନିଜ ଲେଗ୍ ସ୍ପିନ୍ ବୋଲିଂରେ ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ଏବଂ ପରେ ୩୩ ବଲ୍ ରୁ ୪୪ ରନ୍ କରି ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଇନିଂସରେ ୮ଟି ଚୌକା ଲାଗିଥିଲା। ଗୋଙ୍ଗାଡି ତ୍ରିଶାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି।
ଭାରତର ଐତିହାସିକ ବିଜୟ ପରେ ଗୌତମ ଗମ୍ଭୀର, ଇରଫାନ ପଠାନ, ମିତାଲି ରାଜ, ପ୍ରଜ୍ଞାନ ଓଝା ଏବଂ କ୍ରିକେଟ୍ ଜଗତର ଅନ୍ୟ ବଡ଼ ବଡ଼ ଖେଳାଳିମାନେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ ଏକ୍ସରେ କହିଛନ୍ତି, ଆମ ଭାରତୀୟ ମହିଳା ୧୯ ବର୍ଷରୁ କମ୍ ଦଳ ଆଇସିସି ୧୯ ବର୍ଷରୁ କମ୍ ଟି-୨୦ ବିଶ୍ୱକପ୍ ୨୦୨୫ ଜିତିଛି। ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି। ଏହି ବିଜୟ ଆମ ଝିଅମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣର ପ୍ରମାଣ, ଯାହା ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ପୂର୍ବଅପେକ୍ଷା ଉଜ୍ଜ୍ୱଳ ବୋଲି ପ୍ରମାଣ କରୁଛି।