ୟୁଜିସି ଚିଠା ନିୟମାବଳୀ ୨୦୨୫କୁ ନେଇ ବିଜେଡ଼ିର ଚିନ୍ତା ପ୍ରକଟ
ସର୍ଚ୍ଚ କମିଟି ଓ ଚୟନ କମିଟିର ସଂଶୋଧନ ହେଉ ବୋଲି ବିଜେଡ଼ି ଦାବି କରିଛି।
କୁଳାଧିପତି ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ଉଚିତ୍
ଭୁବନେଶ୍ୱର, ୦୬/୦୨: ୟୁଜିସି ଚିଠା ନିୟମାବଳୀ ୨୦୨୫କୁ ନେଇ ଉଦବେଗ ପ୍ରକାଶ କରିଛି ବିଜେଡ଼ି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି।
ପ୍ରସ୍ତାବିତ ୟୁଜିସି ଚିଠା ନିୟମାବଳୀ ସଂଘୀୟ ବ୍ୟବସ୍ଥା, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାୟତ୍ତତା ଓ ଭାରତରେ ଉଚ୍ଚଶିକ୍ଷାର ଗୁଣବତ୍ତା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିଛି। ଏହି ସଂଶୋଧିତ ନିୟମ ଲାଗୁ ହେଲେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ପ୍ରଭାବ ବଢିବା ସହ ରାଜ୍ୟପାଳଙ୍କ ଦ୍ୱାରା କୁଳପତି ଏବଂ ଏକାଡେମିକ୍ ଷ୍ଟାଫ୍ ନିଯୁକ୍ତ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବେ। ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା କମିଯିବ। ଯାହା ଭାରତୀୟ ସମ୍ବିଧାନରେ ଥିବା ସଂଘୀୟ ବ୍ୟବସ୍ଥାର ନୀତିକୁ କ୍ଷୁଣ୍ଣ କରୁଛି।
ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ପାଣ୍ଠି ଯୋଗାଣ ଓ ରକ୍ଷଣାବେକ୍ଷଣ କରୁଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ନିୟମ ଅନୁସାରେ, ୟୁଜିସି ଗୁଣବତ୍ତା ରକ୍ଷା କରିବା ଉଚିତ। କୁଳପତି ଓ ପ୍ରାଧ୍ୟାପକ ନିଯୁକ୍ତ ନ ହେଲେ, ଡିଗ୍ରୀ ମିଳିବ ନାହିଁ। କିନ୍ତୁ ସେସବୁ ନିୟମକୁ ଏଥିରେ ବଳି ଦିଆଯାଇଛି।
କୁଳାଧିପତିଙ୍କୁ ନିଯୁକ୍ତି ଦାୟିତ୍ୱ ଦେବା କେବଳ ରାଜନୀତିକରଣ। ରାଜ୍ୟପାଳଙ୍କ ଦ୍ୱାରା ହସ୍ତକ୍ଷେପ କରି ଉଚ୍ଚଶିକ୍ଷାନୁଷ୍ଠାନକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଏହା ପ୍ରୟାସ। ଏହି ନିୟମାବଳୀ ଦ୍ୱାରା କୁଳାଧିପତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ। କୁଳାଧିପତିଙ୍କ ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ଦରକାର। ସର୍ଚ୍ଚ କମିଟି ଓ ଚୟନ କମିଟିର ସଂଶୋଧନ ହେଉ। ଏହି ଚିଠା ନିୟମାବଳୀକୁ ସଂଶୋଧନ କରାନଗଲେ ବିଜେବି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି।