ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା
୩୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ପ୍ରଶ୍ନପତ୍ର ଲିକ୍ ହେଲେ ଠିକଣା ବତାଇବ କ୍ୟୁଆର କୋର୍ଡ
କଟକ, ୦୬/୦୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ବିଏସଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ୩୦ଟି ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟରରେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୨ ତାରିଖରୁ ୧୯ ତାରିଖ ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଆସନ୍ତା ୧୦ ତାରିଖରୁ www.bseodisha.ac.in ୱେବସାଇଟରେ ଅନଲାଇନ ଆଡମିଟ କାର୍ଡ ଉପଲବ୍ଧ ହେବ।
ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉପରେ ନଜର ରଖିବ ସିସିଟିଭି। ୬୦୦ ସେଣ୍ଟରରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯିବ। କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ ନମ୍ବର, ୱାଟର ମାର୍କ ଓ କ୍ୟୁଆର କୋର୍ଡ ରହିବ। ଯାହା ପ୍ରଶ୍ନପତ୍ର ଲିକ୍ କୁ ରୋକିବ। ପ୍ରଶ୍ନପତ୍ର ଭାଇରାଲ ହେଲେ, ତାହା କେଉଁଠୁ ଓ କେଉଁ କେନ୍ଦ୍ରରୁ ଭାଇରାଲ ହୋଇଛି ତାହା ଜଣାପଡ଼ିବ। ଏବଂ କାହାକୁ ପଠାଯାଇଛି ତାହା ମଧ୍ୟ ଜାଣି ହେବ।
ବୋର୍ଡ ପରୀକ୍ଷା ପ୍ରତିଦିନ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷାର୍ଥୀ। ମାର୍ଚ୍ଚ ୬ରେ ଶେଷ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨୧ରୁ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ।