ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ: ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପାଇଁ ୪ ଜିଲ୍ଲାରେ ପୁଣି ଲଗାଣ ବର୍ଷା । ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଂଜ ଜିଲ୍ଲାରେ ଅରେଂଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଂଟାରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

ସେହିପରି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ୭-୧୧ ସେଂଟିମିଟର ବର୍ଷା ହେବାର ସମ୍ଭାବନା ଅଛି । ଦୁଇ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର ଓ କଟକରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମୋଟ୍ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଜାରି ହୋଇଛି । ଉତର ଓଡ଼ିଶାର ସମସ୍ତ ୧୫ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ସେପ୍ଟେମ୍ବର ୧ରୁ ୩ ଯାଏଁ ଉପକଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା କମିନଥିବା ବେଳେ ଆଉ ଏକ ବର୍ଷାକୁ ନେଇ ଚିନ୍ତାରେ ବଢିଯାଇଛି ।