ବିଧାନସଭା ଅଧିବେଶନ: ଆରମ୍ଭରୁ ହଟ୍ଟଗୋଳ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ମିଶନ ଶକ୍ତି ମହିଳାଙ୍କୁ ନ୍ୟାୟ ଦାବିରେ ବିରୋଧୀଙ୍କ ନାରାବାଜି

ଭୁବନେଶ୍ୱର, ୧୯/୦୨: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ ଆଜି ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି। ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ଦଳରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ଏଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ମିଶନ ଶକ୍ତି କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ କରିବାକୁ ଯୋଜନା କରୁଥିବା ଶାସକ ଦଳର ନିଷ୍ପତ୍ତିକୁ ବିଜେଡି ସଦସ୍ୟମାନେ ବିରୋଧ କରିଥିଲେ। ମିଶନ ଶକ୍ତି ମହିଳାମାନେ ଦୀର୍ଘ ଦିନ ଧରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ହେଲେ ବିଜେପି ସରକାର ସେମାନଙ୍କ ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି। ମିଶନ ଶକ୍ତି କୌଣସି ରାଜନୈତିକ ଦଳର ନୁହଁନ୍ତି। ସେମାନେ କେବଳ ସେବା ପ୍ରଦାନ କରୁଛନ୍ତି। ତେଣୁ ସରକାର ସେମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେଡ଼ି ସଦସ୍ୟମାନେ ଦାବି କରିବା ସହ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡି ସଭ୍ୟମାନେ ଧାରଣା ଦେଇଥିଲେ। ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ମିଶନ ଶକ୍ତି ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଥିଲେ।