ରେଖା ଗୁପ୍ତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଶାଲିମାରବାଗ ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ପ୍ରବେଶ ବର୍ମା ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୯/୦୨: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ଉପରେ ମୋହର ମାରିଛି ବିଜେପି। ବିଜେପିର ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆସନ୍ତାକାଲି ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ସେହିପରି ପ୍ରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ବିଜେନ୍ଦ୍ର ଗୁପ୍ତାଙ୍କୁ ବାଚସ୍ପତି ଦାୟିତ୍ୱ ମିଳିବାକୁ ଯାଉଛି।
୧୯୭୪ ଜୁଲାଇ ୧୯ ମସିହା ହରିୟାଣାରେ ଜନ୍ମିତ ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅଛନ୍ତି। ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି। ଛାତ୍ର ଜୀବନରୁ ସେ ରାଜନୈତିକ ଯାତ୍ରାରେ ସାମିଲ ହୋଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ସଭାପତି ରହିଥିଲେ। ସେ ଶାଲିମାରବାଗ ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରେଖା ଗୁପ୍ତା ଶାଲିମାର ବାଗ ଆସନରେ ଆପ୍ ପ୍ରାର୍ଥୀ ବନ୍ଦନା କୁମାରୀ ଏବଂ କଂଗ୍ରେସର ପ୍ରବୀଣ କୁମାର ଜୈନଙ୍କ ଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ବିଜେପିର ସୁଷମା ସ୍ୱରାଜ, କଂଗ୍ରେସର ଶୀଲା ଦୀକ୍ଷିତ ଏବଂ ଆମ୍ ଆଦମୀ ପାର୍ଟିର ଆତିଶୀଙ୍କ ପରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ଆସନ୍ତାକାଲି ରାମଲୀଳା ମଇଦାନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଶପଥ ନେବେ। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ବିଜେପି ଦିଲ୍ଲୀରେ ୪୮ ଆସନ ଅକ୍ତିଆର କରିଛି।