ମହାକୁମ୍ଭରେ ବୁଡ଼ ପକାଇବାକୁ ଇଚ୍ଛା! କିନ୍ତୁ ଯାଇ ପାରୁନାହାନ୍ତି

ମାତ୍ର ୧୧୦୦ ଟଙ୍କାରେ କରନ୍ତୁ ଡିଜିଟାଲ ସ୍ନାନ

ନୂଆଦିଲ୍ଲୀ, ୨୨/୦୨: ପ୍ରୟାଗରାଜ ଯାଇ ମହାକୁମ୍ଭରେ ବୁଡ଼ ପକେଇବା ପାଇଁ ଇଚ୍ଛା! ହେଲେ ସମୟ ଅଭାବ ଓ ପ୍ରବଳ ଭିଡ଼ ମଧ୍ୟରେ ଯିବାକୁ ଇଛା ନାହିଁ। ଯଦି ବୁଡ଼ ପକାଇ ପୂର୍ଣ୍ଣ୍ୟ ଅର୍ଜନ କରିବାକୁ ଚାହୁଁଛନ୍ତି, ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ। ପ୍ରୟାଗରାଜ ନ ଯାଇ ମଧ୍ୟ ଆପଣ ବୁଡ଼ ପକାଇ ପାରିବେ। ଡିଜିଟାଲ ମାଧ୍ୟମରେ ବୁଡ଼ ପକାଇ ପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆପଣ ବ୍ୟକ୍ତିଗତ ଭାବେ ବୁଡ଼ ନ ପକାଇଲେ ମଧ୍ୟ ଆପଣଙ୍କ ଫଟୋ ବୁଡ଼ ପକାଇ ପାରିବ। ଏଭଳି ଏକ ଅଭିନବ ଉପାୟ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଦୀପକ ଗୋୟଲ।

ମହାକୁମ୍ଭ ମେଳାରେ ଦୀପକ ଗୋୟଲ ‘ଡିଜିଟାଲ ଫଟୋ ସ୍ନାନ’ ସେବା ଦେଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଏକ ନିଆରା ଷ୍ଟାର୍ଟଅପ୍ ଆଇଡିଆ ଭାଇରାଲ ହୋଇଛି। ଭିଡିଓରେ ପ୍ରୟାଗରାଜରେ ରହୁଥିବା ଦୀପକ ଗୋୟଲ ତାଙ୍କ ବ୍ୟବସାୟ ମଡେଲ ବିଷୟରେ ବର୍ଣ୍ଣନା କରି କହିଛନ୍ତି, ମୁଁ ମହାକୁମ୍ଭରେ ଭକ୍ତଙ୍କ ତରଫରୁ ଡିଜିଟାଲ ପବିତ୍ର ସ୍ନାନ କରେ। ଯେଉଁମାନେ ମହାକୁମ୍ଭ ମେଳାରେ ଯୋଗ ଦେଇପାରିବେ ନାହିଁ ସେମାନେ ‘ଡିଜିଟାଲ ଫଟୋ ସ୍ନାନ’ ସେବା ବାଛିପାରିବେ।

ଶ୍ରଦ୍ଧାଳୁମାନେ ତାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ସେମାନଙ୍କ ଫଟୋ ପଠାଇପାରିବେ। ସେହି ଡିଜିଟାଲ ଫଟୋର ପ୍ରିଣ୍ଟ ବାହାର କରି ସେହି ଫଟୋକୁ ଧରି ସେ ନିଜେ ବୁଡ଼ ପକାଉଛନ୍ତି। ଫଟୋ ପଠାଇବା ସହ ପେମେଣ୍ଟ କରିବାର ୪ ଘଣ୍ଟା ମଧ୍ୟରେ ଏହି ରୀତିନୀତି ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୋଟିଏ ଫଟୋରେ ବୁଡ଼ ପକାଇବା ପାଇଁ ୧୧୦୦ ଟଙ୍କା ଦେୟ ରଖିଛନ୍ତି।

ଦୀପକ ଗୋୟଲଙ୍କ ଏହି ଅଭିନବ ପଦକ୍ଷେପକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଉଥିବା ସହ ଡିଜିଟାଲ ଦୁନିଆରେ ଉଚ୍ଚକୋଟୀର ଷ୍ଟାର୍ଟଅପ ସ୍ଥାପନ ବୋଲି କହୁଛନ୍ତି।