ବିଟାଉନ୍‌ର ହିଟ୍‌ ଅଭିନେତ୍ରୀ କିଆରା

ମୁମ୍ଵାଇ: ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତ୍ରୀ ତାଲିକାରେ ତାଙ୍କ ନାଁ ଏବେ ଶୀର୍ଷରେ କିଆରା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ କ୍ୟାରିଅର୍‌ରେ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି କିଆରା ଆଡ଼ଭାନି। ଫିଲ୍ମ ‘ଶେର୍‌ଶାହ’ରେ ବଡ଼ ସଫଳତା ପାଇବା ପରେ ବକ୍ସ-ଅଫିସ୍‌ରେ କମାଲ୍‌ କରିଥିଲା ‘ଭୂଲ୍‌ ଭୂଲେୟା-୨’ ।  ପରେ ‘ଜୁଗ୍‌ଜୁଗ୍‌ ଜିୟୋ’ରେ ଦର୍ଶକଙ୍କ ଭଲ ପାଇବା ଓ ପ୍ରଶଂସା ପାଇଁ କିଆରା ଏବେ ଖୁସିରେ ଆତ୍ମହରା ।

ଏକାଧିକ ନୂଆ ପ୍ରୋଜେକ୍ଟକୁ ନେଇ କିଆରା ଏବେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ସତ୍ୟପ୍ରେମ୍‌ କି କଥା’ । ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ ।  କ୍ୟାରିଅର୍‌ର ସ୍ୱର୍ଣ୍ଣିମ ମୁହୂର୍ତ୍ତ ଦେଇ ଅତିକ୍ରମ କରୁଛନ୍ତି କିଆରା । ଏକସଙ୍ଗେ ଏକାଧିକ ଫିଲ୍ମର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ମୁମ୍ବାଇଠାରେ ‘ସତ୍ୟପ୍ରେମ୍‌ କି କଥା’ର ସୁଟିଂ ଆରମ୍ଭ କରିବାକୁ ସେ ପ୍ରସ୍ତୁତ ହେଉଛନ୍ତି । ୧ ମାସ ଧରି ଫିଲ୍ମର ପ୍ରଥମ ସିଡ୍ୟୁଲ୍‌ର ସୁଟିଂ ହେବ । ଏହା ପରେ କିଆରା ଓ ଫିଲ୍ମ ଟିମ୍‌ ଆଉ ଏକ ସିଡ୍ୟୁଲ୍‌ ପାଇଁ ଗୁଜରାଟ ଯାତ୍ରା କରିବେ । ଫିଲ୍ମରେ ସେ କଥା ଭୂମିକା ନିର୍ବାହ କରିଛନ୍ତି । ଏଥିରେ ତାଙ୍କର ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ ଦେଖିବାକୁ ପାଇବେ ଦର୍ଶକ ।