ଆଇସିସି ଚାମ୍ପିଅନ୍ସ ଟ୍ରଫି ଉପରେ ଆତଙ୍କୀ ନଜର
ବିଦେଶୀଙ୍କୁ ଅପହରଣ ପାଇଁ ଯୋଜନା
ଆଲର୍ଟ କଲା ପାକିସ୍ତାନ ଗୁଇନ୍ଦା ବ୍ୟୁରୋ
ନୂଆଦିଲ୍ଲୀ, ୨୪/୦୨: ପାକିସ୍ତାନରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଦେଖିବାକୁ ଯାଉଥିବା ବିଦେଶୀଙ୍କୁ ଅପହରଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ। ଏ ନେଇ ଇସ୍ଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରୋଭିନ୍ସ (ଆଇଏସ୍କେପି)ର ଏହି କାଣ୍ଡ ଘଟାଇପାରେ ବୋଲି ପାକିସ୍ତାନର ଗୁଇନ୍ଦା ବ୍ୟୁରୋ ଚେତାବନୀ ଜାରି କରିଛି। ଏହି ଆତଙ୍କବାଦୀ ସଂଗଠନ ବିଶେଷ କରି ଚୀନ୍ ଏବଂ ଆରବ ନାଗରିକଙ୍କୁ ଟାର୍ଗେଟ କରି ବନ୍ଦର, ବିମାନବନ୍ଦର ଏବଂ ଆବାସିକ ଅଞ୍ଚଳରେ ନଜର ରଖିଛି।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଆଇଏସକେପି ସଦସ୍ୟ ମାନେ ସହର ଉପକଣ୍ଠରେ ଭଡ଼ାରେ ଘର ନେଇ ସେଠାରେ କାୟା ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ଏମାନେ ଯାତାୟାତ ପାଇଁ ମୋଟର ସାଇକେଲର ବ୍ୟବହାର କରୁଛନ୍ତି। ସୁରକ୍ଷା ବାହିନୀଠାରୁ ବର୍ତ୍ତିବା ପାଇଁ ଏହି ଗୋଷ୍ଠୀ ଅପହୃତ ବ୍ୟକ୍ତିଙ୍କୁ ରାତି ସମୟରେ ଯିବା ଆସିବା କରୁଛନ୍ତି।
ବଡ଼ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ରଖିବାରେ ପାକିସ୍ତାନ ର ସାମର୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହି ଚେତାବନୀ ଦିଆଯାଇଛି। ଅତୀତରେ ଦେଶ ବିଦେଶୀ ନାଗରିକଙ୍କ ଉପରେ ଆକ୍ରମଣକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ୨୦୨୪ରେ ସାଙ୍ଗଲାରେ ଚୀନ୍ ଇଞ୍ଜିନିୟରଙ୍କ ଉପରେ ଆକ୍ରମଣ ଏବଂ ୨୦୦୯ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଉପରେ ହୋଇଥିବା ଆକ୍ରମଣ ଭଳି ଘଟଣା ଏହାର ସୁରକ୍ଷା ପ୍ରସ୍ତୁତିକୁ ନେଇ ସନ୍ଦେହ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଆଫଗାନିସ୍ତାନର ଗୁଇନ୍ଦା ଏଜେନ୍ସି (ଜିଡିଆଇ) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ଭାବ୍ୟ ଆଇଏସକେପି ଆକ୍ରମଣ ବିଷୟରେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଛି ଏବଂ ଏହି ସଂଗଠନ ସହ ଜଡିତ ନିଖୋଜ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ପ୍ରୟାସ ଚଳାଇଛି।