ନୂଆଦିଲ୍ଲୀ, ୦୩/୦୩: ଟେଲିକମ୍ କ୍ଷେତ୍ରରେ ବିପ୍ଳବ ଆଣିଥିବା ଜିଓ ଏବେ ସବୁ କ୍ଷେତ୍ରରେ ଆଧିପତ୍ୟ ବଜାୟ ରଖିଛି। ଜିଓ ବ୍ରାଣ୍ଡ ପୋଷାକଠାରୁ ଆରମ୍ଭ କରି ମୋବାଇଲ ସବୁ କ୍ଷେତ୍ରରେ ନିଜ ବ୍ରାଣ୍ଡର ପ୍ରଭାବ ବିସ୍ତାର କରିଛି। ଏବେ ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବାକୁ ଯୋଜନା କରୁଥିବା ଜଣାଯାଇଛି।
ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ଇଲେକ୍ଟ୍ରିକ୍ ସାଇକେଲ୍ ଲଞ୍ଚ ହେବ ବୋଲି ଆଶା କରାଯାଉଛି। ଦୈନନ୍ଦିନ ଯାତାୟାତ ପାଇଁ ଏହି ଇ-ସାଇକେଲ ଅତ୍ୟନ୍ତ ଉପଯୋଗୀ ବୋଲି କୁହାଯାଉଛି। ଅଧିକାଂଶ ଇଲେକ୍ଟ୍ରିକ ସାଇକେଲ ଥରେ ଚାର୍ଜ କଲେ ୫୦ରୁ ୧୦୦ କି.ମି. ଗଡୁଥିବା ବେଳେ ଏଥିରେ ଥିବା ଆଡଭାନ୍ସଡ ବ୍ୟାଟେରୀ ଯୋଗୁଁ ଏହା ଥରେ ଚାର୍ଜ କଲେ ୪୦୦ କି.ମି. ପର୍ଯ୍ୟନ୍ତ ଗଡିବ। ଏଥିରେ ଏଲଇଡି ଲାଇଟ୍, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଜିପିଏସ୍, ବ୍ଲୁଟୁଥ୍ ଓ କନେକ୍ଟିଭିଟି ରହିବ। ଏହାର ଦାମ୍ ୩୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ରହିପାରେ ବୋଲି ଅନୁମାନ କରାଯାଉଛି।
ତେବେ ରିଲାଏନ୍ସ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। କିନ୍ତୁ ସୋସିଆଲ ମିଡିଆରେ କିଛି ଫିଚର୍ସ ଏବଂ ଦାମ ଡିଟେଲ୍ସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଖବର ସତ୍ୟ ହୋଇଥାଏ, ତାହାଲେ ଏହା ପରିବେଶ ଅନୁକୂଳ ହେବା ସହ ଟ୍ରାଭେଲ ଫ୍ରେଣ୍ଡଲି ସାବ୍ୟସ୍ତ ହେବ। ଯେଉଁମାନେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ଏବଂ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି ସେମାନେ ଏଥିରେ ଭ୍ରମଣ କରି ପାରିବେ।