ମାର୍ଚ୍ଚ ୫ରେ ଖୋଲା ରହିବ ସ୍କୁଲ

ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୦୪/୦୩: ମାର୍ଚ୍ଚ ୫ ତାରିଖ (ବୁଧବାର) ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଛୁଟି ବାତିଲ୍ କରାଯାଇଛି।‌ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ରେ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଖୋଲା ରହିବ। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି।

ପୂର୍ବରୁ ବିଜେଡ଼ି ସରକାର ସମୟରେ ବିଶିଷ୍ଟ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାରୀ ଛୁଟି ଭାବେ ପାଳନ କରାଯାଉଥିଲା। ତେବେ ବର୍ତ୍ତମାନ ବିଜେପି ସରକାର ପଞ୍ଚାୟତିରାଜ ଦିବସ ପାଳନକୁ ମାର୍ଚ୍ଚ ୫ରେ ପାଳନ ନ କରି ଏପ୍ରିଲ ୨୪ରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ଏହି ପରିବର୍ତ୍ତନ ଘୋଷଣା କରାଯାଇଥିଲା। ଜାତୀୟ ସ୍ତରରେ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ ତାରିଖରେ ପାଳନ କରାଯାଉଥିବାରୁ ଦେଶ ସହ ରାଜ୍ୟର ମେଳ ଖାଇ ଗୋଟିଏ ଦିନରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।