୧୦ ଟଙ୍କା ଦେଲେନି ବୋଲି ବାପାଙ୍କ ମୁଣ୍ଡ କାଟ

କଟା ମୁଣ୍ଡ ଧରି ପୁଅ ଚମ୍ପଟ

ମୟୂରଭଞ୍ଜ, ୦୪/୦୩: ପ୍ରଥମେ ସ୍ତ୍ରୀ ସହ ଝଗଡ଼ା। ପରେ ବାପାଙ୍କୁ କଲା ହତ୍ୟା। ଏକାଥରେ ମୁଣ୍ଡ କାଟି ଶରୀରରୁ କରି ଦେଇଛି ଅଲଗା। ମାଆକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲେ। ହେଲେ ବର୍ତ୍ତି ଯାଇଥିଲେ ମାଆ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ମୟୂରଭଞ୍ଜର ଚାନ୍ଦୁଆ ଗାଁରୁ।

ମିଳିଥିବା ସୂଚନା ମୁତାବକ, ଚାନ୍ଦୁଆ ଥାନାର ଚାନ୍ଦୁଆ ଗ୍ରାମର ଶମ୍ଭୁନାଥ ସିଂ ଅନେକ ସମୟରେ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା କରନ୍ତି। କାଲି ମଧ୍ୟ ଝଗଡ଼ା କରିଥିଲେ। ଏଥିରେ ସ୍ତ୍ରୀ ଅତିଷ୍ଠ ହୋଇ ଚାଲି ଗଲେ ପଡ଼ୋଶୀ ଘରକୁ। ହେଲେ, ଶମ୍ଭୁନାଥର ରାଗରୁ ବର୍ତ୍ତି ପାରିନଥିଲେ ବାପା ବାଇଧର ସିଂ। ସ୍ତ୍ରୀ ପଡୋଶୀ ଘରକୁ ଚାଲିଯିବା ପରେ ଶମ୍ଭୁନାଥ ବାପା ବାଇଧରଙ୍କୁ ଖଇନି ଖାଇବା ପାଇଁ ୧୦ ଟଙ୍କା ମାଗିଥିଲେ। ହେଲେ, ବାଇଧର ମନା କରି ଦେଇଥିଲେ। କାହିଁକି ଟଙ୍କା ଦେଲନି ବୋଲି କହି ଶମ୍ଭୁନାଥ ଏକ ଧାରୁଆ ଅସ୍ତ୍ରରେ ବାପାଙ୍କର ମୁଣ୍ଡ କାଟି ଦେଇଥିଲେ। ଏହି ସବୁ ଘଟଣା ଗତ କାଲି ରାତିରେ ଘଟିଥିଲେ ମଧ୍ଯ ଅଭିଯୁକ୍ତ ଶମ୍ଭୁନାଥ ଆଜି ସକାଳୁ ବାପାଙ୍କର କଟା ମୁଣ୍ଡଟିକୁ ଏକ ବ୍ୟାଗରେ ଧରି ସେଠାରୁ ଚମ୍ପଟ ମାରିଥିଲା। ଏତିକିବେଳେ ଚାନ୍ଦୁଆ ଥାନା ଅଧିକାରୀ ଅଭିଯୁକ୍ତକୁ ଦେଖି ଘଟଣା ସଂପର୍କରେ ପଚାରିଥିଲେ। ଏହା ପରେ ଅଭିଯୁକ୍ତ ଶମ୍ଭୁନାଥ ଯେଉଁ ଉତ୍ତର ଦେଇଥିଲା ତାକୁ ଶୁଣି ହତବାକ ହୋଇ ଯାଇଥିଲେ ଥାନା ଅଧିକାରୀ। ବାପାକୁ ହତ୍ୟା କରିବାର ନିଜ ମୁହଁରେ ମାନିଗଲା ଅଭିଯୁକ୍ତ। ଏହା ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହ ହତ୍ୟା ଘଟିଥିବା ଘଟଣାସ୍ଥଳରେ ଯାଇ ଛାନଭିନ ଆରମ୍ଭ କରିଥିଲା।