ଯାତ୍ରା ମଞ୍ଚରେ ଖଳନାୟକ ଦୈତ୍ୟାରୀ ପଣ୍ଡାଙ୍କୁ ନାଟ୍ୟଶ୍ରୀ ସମ୍ମାନରେ ସମ୍ମାନିତ
ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୦୫/୦୩: ଓଡିଶା ଯାତ୍ରା ଜଗତର ଅପ୍ରତିଦ୍ଵନ୍ଦୀ ଖଳନାୟକ, ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ତଥା ସଫଳ ମଞ୍ଚ ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କୁ ନାଟ୍ୟଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ମହୀଧର ପଡାରେ ମଞ୍ଚସ୍ଥ କୋଣାର୍କ ଗଣନାଟ୍ୟର ରଙ୍ଗୀନ ରଙ୍ଗମଞ୍ଚରେ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭରପୁର ଦର୍ଶକଙ୍କ ସମାବେଶରେ ତଥା ସୁନାମଧନ୍ୟ ମଞ୍ଚ ପରିଚାଳକ କ୍ରୀଷ୍ଣା କୁମାରଙ୍କ ସଂଯୋଜନାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ରାଜଶ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ଆଶୁକବି ହେମନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଅନୁବନ୍ଧିତ ସନନ୍ଦ ପତ୍ର ପାଠ କରିବା ସଙ୍ଗେ ସଙ୍ଗେ ଅଙ୍ଗବସ୍ତ୍ର , ପୁଷ୍ପଗୁଚ୍ଛ , ମାନପତ୍ର , ରାଜଶ୍ରୀ ମୁଖପତ୍ର ଓ ରାଜଶ୍ରୀ ଓଡ଼ିଆ କ୍ୟାଲେଣ୍ଡର ଆଦି ଉପଢୌକନ ସହିତ ନାଟ୍ୟଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଇତ୍ୟବସରରେ ସଂଗୀତ ନିର୍ଦେଶକ ଜିତେନ୍ଦ୍ର ମହାନ୍ତି , ବୁଢ଼ୀ ବିଳାଶୁଣୀ ଯାତ୍ରା କମିଟି ଆବାହକ ରଜନୀକାନ୍ତ କଟାୟତ ଏବଂ ମଞ୍ଚ ପରିଚାଳକ ଆଙ୍କର କ୍ରିଷ୍ଣା କୁମାରଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା। ଅଶୋକ କୁମାର ପ୍ରଧାନ ଏବଂ ପପୁ ସେଠ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।