ଆନ୍ତର୍ଜାତୀୟ ମହିଳା ଦିବସ ୧୯୦୦ ଦଶକର ପ୍ରାରମ୍ଭରୁ ପାଳନ କରାଯାଉଛି। ବର୍ଷ ବର୍ଷ ଧରି ଆମେ ଏହି ଦିବସ ପାଳନ କରୁଥିଲେ ମଧ୍ୟ ଏହି ଦିବସ ବିଷୟରେ ଆଜି ବି ଆମକୁ କିଛି ତଥ୍ୟ ଜଣାନାହିଁ। ତେବେ ଜାଣିଛନ୍ତି କି ଏହି ଦିବସ ପାଳନ ହେବା ପୂର୍ବରୁ ଏକ ବିରାଟ କ୍ରାନ୍ତି ସୃଷ୍ଟି ହୋଇଥିଲା। ମହିଳାଙ୍କ ସମାନତା, ମହିଳାଙ୍କ ଅଧିକାରକୁ ନେଇ ସୃଷ୍ଟି ହୋଇଥିଲା ଆନ୍ଦୋଳନ। ମହିଳାଙ୍କ ବିରୋଧରେ ହିଂସାକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଥିଲା।
ମହିଳା ବିରୋଧୀ ହିଂସା ଓ ମହିଳାଙ୍କ ଅଧିକାରକୁ ନେଇ ଏଇଠୁ ଆରମ୍ଭ ହୋଇଥିଲା ଆନ୍ଦୋଳନ:-
୧୯୦୮: ଏତିକି ବେଳକୁ ଚାରିଆଡେ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ହିଂସା ବିରୋଧରେ ପ୍ରବଳ ଅଶାନ୍ତି ଓ ତର୍କ ବିତର୍କ ଆରମ୍ଭ ହୋଇ ଯାଇଥିଲା। ମହିଳାଙ୍କୁ ସମାଜର ପ୍ରତିଟି ସ୍ରୋତରେ ସାମିଲ୍ କରିବା ପାଇଁ ସ୍ୱର ଉତ୍ତୋଳନ ଆରମ୍ଭ ହୋଇ ଯାଇଥିଲା। ଏହି ସମୟରେ ପ୍ରାୟ ୧୫,୦୦୦ ମହିଳା ଚାକିରି କ୍ଷେତ୍ରରେ କମ୍ ସମୟ, ଉତ୍ତମ ଦରମା ଏବଂ ମତଦାନ ଅଧିକାର ଦାବିରେ ନ୍ୟୁୟର୍କରେ ପଦଯାତ୍ରା କରିଥିଲେ।
୧୯୦୯: ସୋଶିଆଲିଷ୍ଟ ପାର୍ଟି ଅଫ୍ ଆମେରିକାର ଘୋଷଣା ଅନୁଯାୟୀ ଫେବ୍ରୁଆରି ୨୮ରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ୧୯୧୩ ମସିହା ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ରବିବାରରେ ମହିଳାମାନେ ଏହି ଦିବସ ପାଳନ ଜାରି ରଖିଥିଲେ।
୧୯୧୦: ୧୯୧୦ ମସିହାରେ କୋପେନହେଗନରେ କର୍ମଜୀବୀ ମହିଳାଙ୍କ ଦ୍ୱିତୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କ୍ଲାରା ଜେଟକିନ୍ (ଜର୍ମାନୀରେ ସାମାଜିକ ଗଣତାନ୍ତ୍ରିକ ପାର୍ଟିର ‘ମହିଳା କାର୍ଯ୍ୟାଳୟ’ର ନେତ୍ରୀ) ନାମକ ଜଣେ ମହିଳା ଅନ୍ତର୍ଜାତୀୟ ମହିଳା ଦିବସର ଧାରଣା ଉପସ୍ଥାପନ କରିଥିଲେ। ପ୍ରତିବର୍ଷ ପ୍ରତ୍ୟେକ ଦେଶରେ ସେମାନଙ୍କ ଦାବି ପୂରଣ ପାଇଁ ଗୋଟିଏ ଦିନ- ମହିଳା ଦିବସ ପାଳନ କରାଯିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଥିଲେ। ସଂଘ, ସମାଜବାଦୀ ଦଳ, କର୍ମଜୀବୀ ମହିଳା କ୍ଲବର ପ୍ରତିନିଧିତ୍ୱ କରୁଥିବା ୧୭ଟି ଦେଶର ୧୦୦ରୁ ଅଧିକ ମହିଳା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।
୧୯୧୧: ୧୯୧୧ ମସିହାରେ ଡେନମାର୍କର କୋପେନହେଗନଠାରେ ଏହି ନିଷ୍ପତ୍ତି ପରେ ମାର୍ଚ୍ଚ ୧୯ରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ମହିଳାଙ୍କ କାମ କରିବା, ଭୋଟ୍ ଦେବା, ପ୍ରଶିକ୍ଷଣ ଦେବା, ସରକାରୀ ପଦବୀରେ ରହିବା ଏବଂ ଭେଦଭାବ ଦୂର କରିବା ପାଇଁ ଅଭିଯାନ ଚଳାଇଥିବା ଅନ୍ତର୍ଜାତୀୟ ମହିଳା ଦିବସର ଏହି ରାଲିରେ ୧୦ ଲକ୍ଷରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହା ସହ ମହିଳା ବ୍ରେଡ୍ ଆଣ୍ଡ ରୋଜ୍ ଅଭିଯାନ ଦେଖିବାକୁ ମିଳିଥିଲା।
୧୯୧୩-୧୯୧୪: ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଶାନ୍ତି ପାଇଁ ଅଭିଯାନ ଚଳାଇଥିବା ରୁଷୀୟ ମହିଳାମାନେ ଫେବ୍ରୁଆରି ୨୩ରେ ସେମାନଙ୍କର ପ୍ରଥମ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ। ଆଲୋଚନା ପରେ, ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ, ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳନ କରିବାକୁ ରାଜି ହୋଇଥିଲେ।
୧୯୧୭: ଫେବ୍ରୁଆରି ଶେଷ ରବିବାର ଦିନ ପ୍ରଥମ ବିଶ୍ୱଯୁଦ୍ଧରେ ୨ନିୟୁତରୁ ଅଧିକ ରୁଷୀୟ ସୈନିକଙ୍କ ମୃତ୍ୟୁ ପରେ ରୁଷୀୟ ମହିଳାମାନେ “ରୁଟି ଏବଂ ଶାନ୍ତି” ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ରାଜନୈତିକ ନେତୃବୃନ୍ଦଙ୍କ ବିରୋଧରେ ମହିଳାମାନେ ଧର୍ମଘଟ ଜାରି ରଖିଥିଲେ। ଏହା ପରେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ପ୍ରଦାନ କରାଯାଇଥିଲା। ଜୁଲିୟନ କ୍ୟାଲେଣ୍ଡରରେ ମହିଳା ଧର୍ମଘଟ ଆରମ୍ଭ ହେବାର ତାରିଖ ରବିବାର ୨୩ ଫେବୃଆରୀ ଥିଲା, ସେତେବେଳେ ରୁଷିଆରେ ଜୁଲିୟନ କ୍ୟାଲେଣ୍ଡର ବ୍ୟବହୃତ ହେଉଥିଲା।
୧୯୭୫: ମିଳିତ ଜାତିସଂଘ ପକ୍ଷରୁ ୧୯୭୫ମସିହାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହାପରେ ଡିସେମ୍ବର ୧୯୭୭ରେ ସାଧାରଣ ସଭାରେ ଏକ ସଂକଳ୍ପ ଗୃହୀତ ହୋଇଥିଲା, ଯେଉଁଥିରେ ବର୍ଷର କୌଣସି ଗୋଟିଏ ଦିନ ମହିଳା ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ବିଷୟବସ୍ତୁ “ଅତୀତକୁ ପାଳନ କରିବା, ଭବିଷ୍ୟତ ପାଇଁ ଯୋଜନା” ରହିଥିଲା।
ସେବେଠାରୁ ଜାତିସଂଘ ସଦସ୍ୟ ରାଷ୍ଟ୍ର ମାନଙ୍କରେ ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, “ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରନ୍ତୁ: ସମାନତା, ପ୍ରଗତି, ଅନ୍ତର୍ଭୁକ୍ତୀକରଣ”। ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ କରିପାରେ ଭବିଷ୍ୟତରେ ଅଧିକ ଯୋଗଦାନ କରିପାରିବେ ସେ ନେଇ ଲକ୍ଷ ରଖାଯାଇଛି।