କର୍ଣ୍ଣାଟକ, ୦୮/୦୩: କର୍ଣ୍ଣାଟକର ହାମ୍ପି ନିକଟରେ ଘଟିଛି ଏକ ଲଜ୍ଜ୍ୟାଜନକ ଘଟଣା। ଗୁରୁବାର ରାତିରେ ଦୁଇ ଜଣ ଯୁବତୀଙ୍କୁ ଗଣ ବଳାତ୍କାର କରିବା ସହ ୩ ଜଣ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ୟୁନେସ୍କୋ ହେରିଟେଜ ମାନ୍ୟତା ପର୍ଯ୍ୟଟନସ୍ଥଳୀ ହାମ୍ପିଠାରୁ ୪ କିଲୋମିଟର ଦୂର ସାନପୁର ହ୍ରଦ ନିକଟରେ ଏଭଳି ଘଟଣା ଘଟିଥିବା ପୋଲିସ କହିଛି।
ଜଣେ ଇସ୍ରାଏଲୀ ଯୁବତୀ, ଓଡ଼ିଶା, ଆମେରିକା ଓ ମହାରାଷ୍ଟ୍ରର ୩ ଜଣ ପୁରୁଷ ବନ୍ଧୁଙ୍କ ସହ ସେମାନଙ୍କ ହୋମଷ୍ଟେ ମାଲିକାଣୀ ମିଶି ରାତ୍ରି ଭୋଜନ କରି ସାରିବା ପରେ ହ୍ରଦ ନିକଟରେ ଥିବା ତୁଙ୍ଗଭଦ୍ରା କେନାଲ କୂଳରେ ବସି ଗିଟାର ବଜାଉଥିଲେ। ଏହି ସମୟରେ ୩ ଜଣ ବାଇକ୍ ଆରୋହୀ ସେମାନଙ୍କ ନିକଟକୁ ଆସି ପେଟ୍ରୋଲ ପମ୍ପ କେଉଁଠାରେ ବୋଲି ପଚାରିଥିଲେ। ହେଲେ, ସେହି ପାଖରେ କୌଣସି ପେଟ୍ରୋଲ ପମ୍ପ ନାହିଁ ବୋଲି ହୋମଷ୍ଟେ ମାଲିକାଣୀ ସେମାନଙ୍କୁ ଜଣାଇଲେ ମଧ୍ୟ ୩ ବାଇକ ଆରୋହୀ ଟଙ୍କା ମାଗିଥିଲେ। ହେଲେ, ସେମାନେ ମନା କରିବାରୁ କନ୍ନଡ଼ ଓ ତେଲୁଗୁ ଭାଷା କହୁଥିବା ଦୁର୍ବୃତ୍ତମାନେ ସେମାନଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ।
ଅଭିଯୋଗ କରିଥିବା ହୋମଷ୍ଟେ ମାଲିକାଣୀ କହିଛନ୍ତି ଯେ ଆକ୍ରମଣକାରୀମାନେ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ଭିତରକୁ ଠେଲି ଦେଇଥିଲେ। ଏହାପରେ ସେମାନେ ପାଣିରୁ ବାହାରିବା ପାଇଁ ସଂଘର୍ଷ କରୁଥିବା ବେଳେ ୩ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣ ତାଙ୍କୁ ଓ ଇସ୍ରାଏଲୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ହୋମଷ୍ଟେ ମାଲିକାଣୀଙ୍କୁ କେନାଲ ପାର୍ଶ୍ୱକୁ ଟାଣି ନେଇ ସେଠାରେ ତାଙ୍କ ଗଳା କାଟିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ତାଙ୍କୁ ମାଡ଼ ମାରି ଦୁଷ୍କର୍ମ କରିଥିଲେ। ସେମାନେ ତାଙ୍କ ବ୍ୟାଗ୍ ଛଡ଼ାଇ ନେବା ସହ ୨ଟି ମୋବାଇଲ୍ ଫୋନ୍ ଓ ନଗଦ ୯୫୦୦ ଟଙ୍କା ଲୁଟି ନେଇଥିଲେ। ତୃତୀୟ ଆକ୍ରମଣକାରୀ ଇସ୍ରାଏଲୀ ଯୁବତୀଙ୍କୁ ଏକ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ।
ମହାରାଷ୍ଟ୍ରର ପଙ୍କଜ ଏବଂ ଆମେରିକାର ଡାନିଏଲ କେନାଲରୁ ବାହାରକୁ ବାହାରି ଯିବାରେ ସଫଳ ହୋଇଥିବା ବେଳେ ଓଡ଼ିଶାରୁ ଯାଇଥିବା ପର୍ଯ୍ୟଟକଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି। ଉକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।