ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୦୯/୦୩: ଭୋଗରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ ଘଟିଛି। ଆଜି ଭୋର୍ ୪ଟା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁଥିଲେ। ଆଜି ଭୋର୍ ସମୟରେ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଭିଜିତ ଦାସ ସୂଚନା ଦେଇଛନ୍ତି।

ଅନନ୍ତ ଦାସ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ଭୋଗରାଇରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ସରକାରଙ୍କ ସମୟରେ ଶିଳ୍ପମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ।

ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଯୋଗୁଁ ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।