ଭୁବନେଶ୍ୱର, ୦୯/୦୩: ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର। ଏଟିଏମ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ। ଶନିବାର ରାତିରେ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଏନକାଉଣ୍ଟରରେ ଜଣେ ଏଟିଏମ୍ ଲୁଟେରା ଆହତ ହୋଇଛି। ବିଳମ୍ବିତ ରାତିରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ଅନ୍ତଃରାଜ୍ୟ ଲୁଟେରା ଦୀପକ କୁମାରଙ୍କୁ ସ୍ପେଶାଲ ସ୍କ୍ବାଡ୍ ଧରିଥିଲା।
ବିହାରର ମୂଳ ବାସିନ୍ଦା ଦୀପକ କୁମାର ଓଡ଼ିଶା ଆସି ବିଭିନ୍ନ ଏଟିଏମ୍ କୁ ଟାର୍ଗେଟ କରିଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ଶନିବାର ରାତିରେ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଆକ୍ରମଣରେ ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିଲା। ଆହତ ଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ଦୀପକ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏଟିଏମରୁ ଟଙ୍କା ଲୁଟ୍ କରିବା ପାଇଁ ଦୀପକ ଫେଭିକ୍ୱିକର ବ୍ୟବହାର କରୁଥିଲା। ଏକ ଏଟିଏମରୁ ଟଙ୍କା ଲୁଟ୍ କରୁଥିବାର ସିସିଟିଭି ଫୁଟେଜ ସାମନାକୁ ଆସିଛି। ଦୀପକର ସହଯୋଗୀଙ୍କୁ ଧରିବାକୁ ପୋଲିସ ଛାନଭିନ ଚଳାଇଛି।