ଭୁବନେଶ୍ୱର, ୧୫/୦୩: ହୋଲିରେ ରକ୍ତରଞ୍ଜିତ ହୋଇଛି ରାଜଧାନୀ। ସମସ୍ତେ ହୋଲି ଖେଳରେ ମସଗୁଲ ଥିବା ବେଳେ କିଛି ଦୁର୍ବୃତ୍ତଙ୍କ ହାତରେ ଘଟିଛି ହତ୍ୟାକାଣ୍ଡ। ଭୁବନେଶ୍ୱରର ଅଲଗା ଅଲଗା ଘଟଣାରେ ଦୁଇ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।
ପ୍ରଥମ ଘଟଣାଟି ସହିଦ ନଗର ଅଞ୍ଚଳର ଶାନ୍ତିପଲ୍ଲୀ ବସ୍ତିରେ ଘଟିଛି। ମଧ୍ୟାହ୍ନରେ ଖୁସିରେ ହୋଲି ପାଳନ କରୁଥିବା ବେଳେ ସାମାନ୍ୟ ବଚସାରୁ ୪ ଜଣ ଦୁର୍ବୃତ୍ତ ଗୋପ ଗୁଣି ନାମକ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଯେତେବେଳେ ତାଙ୍କ ପତ୍ନୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି ଜଣାପଡ଼ିଛି। ଖବର ପାଇ ସହିଦ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଅନ୍ୟ ଏକ ଘଟଣାରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇଗଡ଼ିଆ ଅଞ୍ଚଳରେ ଏକ ଅଜଣା ଗୋଷ୍ଠୀ ଜଣେ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ସମେଇଗାଡ଼ିଆର ବାବୁ ପତିଙ୍କ ପୁଅ ଆୟୁଷ୍ମାନ ପତି(୨୭)। ଖବର ପାଇ ମଞ୍ଚେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।