ଆଧୁନିକ ଓଡିଆ ସାହିତ୍ୟର ପ୍ରଥିତଯଶା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ

ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬/୦୩: ଆଧୁନିକ ଓଡିଆ ସାହିତ୍ୟର ପ୍ରଥିତଯଶା କବି ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ବାସଭବନରେ ଶ୍ରୀ ରଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ସଚିବ ସମେତ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଏହା ପରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ।

୧୯୭୭ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ମସିହାରେ ସରସ୍ୱତୀ ସମ୍ମାନ, ୧୯୯୦ମସିହାରେ ବିଷୁବ ସମ୍ମାନ ଓ ୨୦୦୬ମସିହାରେ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲା।

ସେ ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ଏବଂ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଏହାର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଫେବୃଆରୀ ୨୦୦୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ସାହିତ୍ୟ ଏକାଡେମୀ ଫେଲୋସିପ୍ ସମ୍ମାନ ମିଳିଥିଲା।

କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଅଳ୍ପ କେତେଜଣ ଶ୍ରେଷ୍ଠ କବିଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ, ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତରେ ଚିର ଦିନ ପାଇଁ ଅମର କରି ରଖିବ। ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି। ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ। ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।