ଆଜି ମାଟିରେ ମିଶିବ ଟୁଇନ୍ ଟାଓ୍ୱାର, ମାତ୍ର ୧୨ ସେକେଣ୍ଡରେ ଭାଙ୍ଗିଯିବ ବିଶାଳ କୋଠା

ନୂଆଦିଲ୍ଲୀ, ୨୮|୦୮:  ରବିବାର ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୧୨ ସେକେଣ୍ଡ ଭିତରେ ୧୦୩ ମିଟର ଉଚ୍ଚ ବିଶାଳ କୋଠା ଭଙ୍ଗାଯିବ । ବେଆଇନ ଭାବେ ନିର୍ମିତ ଏହି କୋଠାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଏହାକୁ ଭାଙ୍ଗିବା ପାଇଁ ବ୍ୟବହାର ହେବ ୩ ହଜାର ୭ ଶହ କିଲୋଗ୍ରାମ ଓଜନର ବିସ୍ଫୋରକ ।

ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ୍ । ୨୮ଅଗଷ୍ଟ, ଦିନ ୨ଟାରେ ବାଜିବ ସାଇରନ୍ । ୩ଥର ସାଇରନ୍ ପରେ ଘଣ୍ଟାରେ ଦିନ ୨.୩୦ମିନିଟ ବାଜିବା ମାତ୍ରେ ରିମୋର୍ଟ ସୁଇଚ୍ ଦବାଇ ଦିଆଯିବ । ଏହାପରେ ୧୨ ସେକେଣ୍ଡ ଧରି କିଛି ବିସ୍ଫୋରଣ ହେବ । ନୋଏଡାରେ ଠିଆ ହୋଇଥିବା ୩୨ ମହଲା ବିଶିଷ୍ଟ ୧୦୩ ମିଟର ସୁଉଚ୍ଚ ସୁପରଟେକ୍ ଟୁଇନ୍ ଟାୱାର ମାଟିରେ ମିଶିଯିବ ।

ଶୁଣିବାକୁ ଯେତେ ରୋମାଞ୍ଚକର ଲାଗୁଛି, ଏହି କାମ ଏତେ ସହଜ ନୁହେଁ । ଟୁଇନ୍ ଟାୱାରଠାରୁ ମାତ୍ର ୯ମିଟର ଦୂରରେ ହାଉସିଂ ସୋସାଇଟି ଯେଉଁଥିରେ ୬୬୦ ପରିବାର ରୁହନ୍ତି । ମାତ୍ର ୧୯ମିଟର ଦୂରରେ ମାଟି ତଳେ ଯାଇଛି ଗ୍ୟାସ୍ ପାଇପ୍ ।