ରଥ ନିର୍ମାଣ ପାଇଁ ୨୫ଟି ଫାଶୀ ଗଛ ବରଗଡ଼ ଜିଲ୍ଲାରୁ ଚିହ୍ନଟ

ଆବଶ୍ୟକ ଅଛି ୧୧୪ଟି ଫାଶୀ ଗଛ

ପଦ୍ମପୁର, ୨୬/୦୩: ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହେଉଛି। ଆବଶ୍ୟକ ପଡୁଥିବା ଫାଶୀ କାଠ ଚିହ୍ନଟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୫ଜଣିଆ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା ପଦ୍ମପୁରରେ ପହଞ୍ଚି କାଠ ଚିହ୍ନଟ କରିଛନ୍ତି। ପଦ୍ମପୁର ବନଖଣ୍ଡ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମ୍ୟ ଜଙ୍ଗଲରେ ଥିବା ୨୦ଟି ଫାଶୀ ଗଛ ମଧ୍ୟରୁ ୧୫ଟି ବାଛିଛନ୍ତି। ଏଠାରେ ସୂଚନଯୋଗ୍ୟ ଯେ ବରଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ପଦ୍ମପୁର ରେଞ୍ଜ ବୁଡାମାଲ ଓ ଆଖପାଖ ଅଞ୍ଚଳରେ ଫାଶୀ ଗଛ ଥିବା ପୁରୀ ଶ୍ରୀ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୫ ଜଣ ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଆସି ଗଛ ଚିହ୍ନଟ କରିଥିଲେ। ଦଳର ମୁଖ୍ୟ ଶ୍ରୀ ସୁଦର୍ଶନ ମେକାପଙ୍କ କହିବା ମତେ ରଥ ନିର୍ମାଣ ପାଇଁ ସମୁଦାୟ ୧୧୪ଟି ଫାଶୀ ଗଛର ଆବଶ୍ୟକ ହୋଇଥାଏ। ଗତ ବର୍ଷର ୫୧ ଟି କାଠ ବଳକା ଥିବା ଯୋଗୁ ଚଳିତ ବର୍ଷ ଆଉ ୭୨ ଖଣ୍ଡ ଫାସୀ କାଠର ଆବଶ୍ୟକ ରହିଛି। ଚିହ୍ନଟରେ ଗଛ ଗୁଡ଼ିକ ୬ ଫୁଟ ଗୋଲେଇ, ଏବଂ ୧୨ରୁ ୧୪ ଫୁଟ ଲମ୍ବ ରହିବା ଆବଶ୍ୟକ। ଫାଶୀ କାଠରେ ରଥର ଚକ ନିର୍ମାଣ ହୋଇଥାଏ ବୋଲି ସେ କହିଥିଲେ। ଆସନ୍ତା କାଲି ଆଉ କେତେକ ଗଛ ଚିହ୍ନଟ ପାଇଁ ଯିବୁ ବୋଲି ସେ କହିଥିଲେ। ଉକ୍ତ ଦଳରେ ଲକ୍ଷ୍ମଣ ମହାପାତ୍ର, ରବି ଭୋଇ, କୁମାର ସରକାର ଏବଂ ଜିଆ ଗଛ କଟିବ ସେ ମଧ୍ୟ ସାଙ୍ଗରେ ଥିବା ସୁଦର୍ଶନ ମେକାପ କହିଥିଲେ।