ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ହରିଶ ଟଣ୍ଡନ

ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

ଭୁବନେଶ୍ୱର, ୨୬/୦୩: ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ହରିଶ୍ ଟଣ୍ଡନ। ଓଡ଼ିଶା ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ହରି ବାବୁ କାମ୍ଭମପତି ଶପଥ ପାଠ କରାଇଛନ୍ତି। ନଭେମ୍ବର ୧୫, ୨୦୨୬ରେ ଅବସର ନେବା ପର୍ଯ୍ୟନ୍ତ ପାଖାପାଖି ୨୦ ମାସ ଧରି ଜଷ୍ଟିସ ଟଣ୍ଡନ ଏହି ଦାୟିତ୍ବରେ ରହିବେ।‌ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ବିଚାରପତି, ବାର୍ ଆସୋସିଏସନ୍ ର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଗତ ମାର୍ଚ୍ଚ ୬ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜଷ୍ଟିସ ଟଣ୍ଡନ ଓ ତାଙ୍କ ପତ୍ନୀ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।