ହୋମଗାର୍ଡ ନିଯୁକ୍ତି ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦେବଗଡ଼, ୨୭/୦୩: ଦେବଗଡ଼ ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଡିଡୋ ଗ୍ରାମର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ(୧୯)। ଦୌଡ଼ ପରୀକ୍ଷା ହେଉଥିବା ବେଳେ ସେ ଅଚେତ ହୋଇ ଯାଇଥିଲେ। ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ସାହେବ ଦେହୁରୀଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାରେ ୬୦ଟି ହୋମଗାର୍ଡ ପଦବୀ ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କ୍ରମରେ ବୁଧବାର ଫିଜିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।