ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନଭୋଜନ

ପୁଷ୍ଟିକର ଲଡୁ ଓ ଅଣ୍ଡା ଖାଇବେ ପିଲା

ଖର୍ଚ୍ଚ ହେବ ବାର୍ଷିକ ୫୭୦.୭୧ କୋଟି ଟଙ୍କା

ଭୁବନେଶ୍ୱର, ୨୭/୦୩: ପୂର୍ବରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ରନ୍ଧା ଖାଦ୍ୟ ମିଳୁଥିବା ବେଳେ ଏଥର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଖାଦ୍ୟ। ୨୦୨୫-୨୬ ଆର୍ଥିକ ବର୍ଷରୁ ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗରମ ରନ୍ଧା ମଧ୍ୟାହ୍ନ ଭୋଜନ ମିଳିବ। ପୂର୍ବରୁ ଏହି ସଂକ୍ରାନ୍ତରେ ଏକ ପ୍ରସ୍ତାବ ରହିଥିବା ବେଳେ ଏହାକୁ ଅନୁମୋଦନ କରିଛି ଅର୍ଥ ବିଭାଗ ଏବଂ ଯୋଜନା ଓ ସମନ୍ୱୟ ବିଭାଗ।

ଏ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ ପୋଷଣର ରାଜ୍ୟ ନୋଡାଲ୍ ଅଫିସରଙ୍କୁ ଏକ ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ଛାତ୍ରଛାତ୍ରୀଙ୍କ ପୋଷଣ ବୃଦ୍ଧି କରିବା ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା, ଉପସ୍ଥାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବ୍ୟାପକ ବିଚାର ବିମର୍ଶ ପରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ ପିଲାଙ୍କୁ ସପ୍ତାହକୁ ୩ଟି ପୁଷ୍ଟିକର ଲଡୁ ସହ ଅଣ୍ଡା ବି ମିଳିବ। ସୋମବାର, ବୁଧବାର ଓ ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ସେହିପରି ମଙ୍ଗଳବାର, ଗୁରୁବାର ଓ ଶନିବାର ପୋଷଣଯୁକ୍ତ ବା ପୁଷ୍ଟିକର ଲଡୁ ମିଳିବ। ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ ଅଧିନରେ ବାର୍ଷିକ ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ ହେବ।