ଭୁବନେଶ୍ୱର, ୦୭/୦୪: ପାଣ୍ଡିଆନଙ୍କୁ ନେଇ ବିଜେଡ଼ିରେ ପୁଣି ଝଡ଼ ଉଠିଛି। ଦଳରେ ନଥାଇ ମଧ୍ୟ ଦଳରେ ସକ୍ରିୟ ପାଣ୍ଡିଆନ! ଗୋଟିଏ ପକ୍ଷ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ବେଳେ ଆଉ ଗୋଟିଏ ପକ୍ଷ ପାଣ୍ଡିଆନଙ୍କ ବିପକ୍ଷରେ ବାହାରିଲେ। ୱାକଫ ବିଲ ସପକ୍ଷରେ ଭୋଟ ଦେବା ପାଇଁ ସସ୍ମିତଙ୍କୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଏବଂ ଦଳ ଭିତରେ ଥାଇ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ ଆଣିବା ପରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡ଼ିର ୪ ସାଂସଦ।
ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ ନାଁ ନ ନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କରିଥିଲେ। ପାଣ୍ଡିଆନ ରାଜନୀତିରେ ନଥାଇ ମଧ୍ୟ ଦଳକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ସେ କହିଥିଲେ। ପାଣ୍ଡିଆନଙ୍କ ଉପସ୍ଥିତିରେ ୱାକଫ୍ ବିଲକୁ ନେଇ ବଡ଼ ବିଲ୍ ହୋଇଥିବା ଅଭିଯୋଗ ଆଣିଥିଲେ।
ଅନ୍ୟପଟେ ଆଜି ସକାଳେ ସାଂସଦ ମୁନ୍ନା ଖାଁ ଦିଲ୍ଲୀରୁ ଭୁବନେଶ୍ୱର ଫେରି ନିଜ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସପକ୍ଷରେ ଭୋଟ ଦେଇଥିବା ସସ୍ମିତ ପାତ୍ର ଓ ଅନ୍ୟମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ସହ “ଭିକେ ପାଣ୍ଡିଆନ୍ ଗୋ ବ୍ୟାକ୍” ଏବଂ “ଭିକେ ପାଣ୍ଡିଆନ୍ ଓଡ଼ିଶା ଛାଡ଼ନ୍ତୁ” ଭଳି ସ୍ଲୋଗାନ ଦେଇଥିଲେ ମୁନ୍ନା ଖାଁଙ୍କ ସମର୍ଥକ।
ଏବେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦଳର କିଛି ନେତା। ଯାହା ପରେ ପାଣ୍ଡିଆନଙ୍କ ସମର୍ଥକ ଓ ବିରୋଧୀ ମଧ୍ୟରେ ମତଭେଦ ଦେଖା ଦେଇ ବିଜେଡ଼ି ମଧ୍ୟରେ ଦୁଇଟି ଗୋଷ୍ଠୀ ହୋଇ ଯାଇଛନ୍ତି। ଏ ସବୁଥିରେ ପାଣ୍ଡିଆନଙ୍କ ହାତ ଥାଇପାରେ ବୋଲି କିଛି ନେତା ଦାବି କରୁଥିବା ବେଳେ ଏହାକୁ ସିଧାସଳଖ ଖଣ୍ଡନ କରି ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି କିଛି ନେତା।
ସାଂସଦ ମାନସ ମଙ୍ଗରାଜ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି, ମୋର ରାଜ୍ୟସଭା ସହକର୍ମୀ ଶ୍ରୀ ଦେବାଶିଷ ସାମନ୍ତରାୟ ୱାକଫ ବିଲ୍ ନିଷ୍ପତ୍ତି ଉପରେ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି, ଯଦିଓ ସେ ୧୦ ମାସ ପୂର୍ବରୁ ରାଜନୀତିରୁ ଅବସର ନେଇ ସାରିଛନ୍ତି ଏବଂ କୌଣସି ରାଜନୈତିକ କାର୍ଯ୍ୟ କିମ୍ବା ସଭାସମିତିରେ ମଧ୍ଯ ଯୋଗ ଦେଉନାହାନ୍ତି। ଆମ ଦଳର ଜଣେ ସଭାପତି ଅଛନ୍ତି। ଯିଏ କି ଦଳର ପ୍ରତ୍ୟେକ ପ୍ରସଙ୍ଗରେ ସେ ଫାଇନାଲ ନିଷ୍ପତ୍ତି ନିଅନ୍ତି। ଯଦି ବି କୌଣସି ଘଟଣାରେ ଆମର ଅଭିଯୋଗ କରିବାର ଅଛି, ତାହାଲେ ପାର୍ଟି ଫୋରମରେ ଉକ୍ତ ପ୍ରସଙ୍ଗ ଉଠାଇବା ଉପଯୁକ୍ତ ହେବ। ଦେବାଶିଷ ସାମନ୍ତରାୟ ତାହା କରିବା ବଦଳରେ ଗଣମାଧ୍ୟମରେ ତାଙ୍କ ବିରୋଧରେ କହୁଛନ୍ତି, ଯିଏ ଏବେ ଦଳ କିମ୍ବା ରାଜନୀତିରେ ନାହାନ୍ତି।
ସାଂସଦ ସୁଲତା ଦେଓ ସିଧାସଳଖ ଦେବାଶିଷଙ୍କୁ ଟାର୍ଗେଟ କରି କହିଛନ୍ତି, ପୂର୍ବରୁ ପୁଲୱାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେହି ସମୟରେ ଚାପ ପକାଇଥିଲେ। ଯାହା ଫଳରେ ପୂର୍ବ ଶତ୍ରୁତା ଯୋଗୁଁ ରାଗ ରଖି ପାଣ୍ଡିଆନଙ୍କ ବିରୋଧରେ ଏହା କହିଛନ୍ତି। ସୁଲତା ଆହୁରି ମଧ୍ୟ କହିଛନ୍ତି, ପାର୍ଲିଆମେଣ୍ଟରେ ଭୋଟ ଦାନ ରାତି କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରାୟ ଶୋଇ ପଡ଼ିବାରୁ ନିଜ ଭୁଲ୍ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିରୁ ସେ ନିବୃତ୍ତ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ସୁଲତା।
ସେହିପରି ସାଂସଦ ନିରଞ୍ଜନ ବିଶି କହିଛନ୍ତି, ଭିକେ ପାଣ୍ଡିଆନ ବହୁତ ଦିନ ହେଲା ରାଜନୀତିରୁ ବିଦାୟ ନେଇ ସାରିଛନ୍ତି। କିନ୍ତୁ ୱାକଫ ବିଲ୍ ବିଷୟରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି। ସେ କିଛି ଅଭିସନ୍ଧି ରଖି ଏ କଥା କହୁଛନ୍ତି ବୋଲି ମୋର ଦୃଢ ଧାରଣା ସୃଷ୍ଟି ହେଉଛି।
ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଅଯଥାରେ ଏହି ପ୍ରସଙ୍ଗକୁ ଟଣା ଯାଉଛି।