ପିଲାଙ୍କ ପରୀକ୍ଷାରେ କଣ୍ଟା ସାଜିଲା ଉପମୁଖ୍ୟମନ୍ତ୍ରୀଙ୍କ କନଭଏ
ଜେଇଇ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ, ୦୮/୦୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ ଜେଇଇ ମେନ (ପ୍ରବେଶିକା) ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ୨୦ ଛାତ୍ରଛାତ୍ରୀ। ବିଶାଖାପାଟଣାର ପେଣ୍ଡୁର୍ତିସ୍ଥିତ ଆୟନ ଡିଜିଟାଲ ପରୀକ୍ଷା କେନ୍ଦ୍ର ନିକଟରେ ଏହି ଘଟଣା ଘଟିଛି। ୨୩ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ପରୀକ୍ଷା କେନ୍ଦ୍ର ବାହାରେ ଏକତ୍ରିତ ହୋଇ ପିଲାମାନଙ୍କୁ ବିଳମ୍ବରେ ଆସିବାରୁ ପ୍ରବେଶରୁ ବଞ୍ଚିତ କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିବାର ନଜର ଆସିଛି।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଶାଖାପାଟଣା ସିଟି ପୁଲିସ (ଭିସିପି)। ଭିସିପି କହିବା ଅନୁଯାୟୀ, ପରୀକ୍ଷା ଗାଇଡଲାଇନ ଅନୁଯାୟୀ, ସକାଳ ୭ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ରିପୋର୍ଟ କରିବାକୁ ପଡ଼ିବ ଏବଂ ସକାଳ ୮ଟାରେ ଗେଟ୍ କଡ଼ାକଡ଼ି ଭାବେ ବନ୍ଦ ହେବ। ଗେଟ୍ ବନ୍ଦ ହେବା ପରେ ସକାଳ ୮ଟା ୪୧ମିନିଟ୍ ରେ ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସେହି ଅଞ୍ଚଳ ଅତିକ୍ରମ କରିଥିଲା ବୋଲି ପୁଲିସ ନିଶ୍ଚିତ କରିଛି। ତେଣୁ ଏହା ସ୍ପଷ୍ଟ ଯେ ସେହି ଅଞ୍ଚଳ ଦେଇ ଉପମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଏବଂ ଛାତ୍ରଛାତ୍ରୀଙ୍କ ବିଳମ୍ବରେ ଆଗମନ ସହ କୌଣସି ସମ୍ପର୍କ ନାହିଁ।
ତେବେ ଏହି ଘଟଣା ଜଣା ପଡ଼ିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।