ନୂଆଦିଲ୍ଲୀ, ୦୮/୦୪: ଆଗକୁ ସାଉଦି ଆରବରେ ଆରମ୍ଭ ହେବାକୁ ଯାଉଛି ମକ୍କାକୁ ତୀର୍ଥଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ମୁସଲିମଙ୍କ ବାର୍ଷିକ ସମାବେଶ ହଜ ଯାତ୍ରା। ସାଉଦି ଆରବର ମକ୍କାରେ ମସଜିଦ ଅଲ-ହରାମ ଏବଂ ଆଖପାଖ ଅଞ୍ଚଳରେ ହଜ୍ ଅନୁଷ୍ଠିତ ହୋଇଥାଏ। ଏହା ମୁସଲିମଙ୍କ ସବୁଠୁ ବଡ଼ ଧାର୍ମିକ ସମାବେଶ। ଏଠାକୁ ଯିବା ପାଇଁ ଅନେକ ମୁସଲମାନ ଧର୍ମାବଲମ୍ବୀ ମାନେ ଅନାଇ ବସିଥାନ୍ତି। ଚଳିତ ଥର ୨୦୨୫ ହଜ ଯାତ୍ରା ଜୁନ ୪ରୁ ୯ ଯାଏଁ ଚାଲିବ।
ଚଳିତ ଥର ବିଦେଶୀ ପର୍ଯ୍ୟଟକମାନଙ୍କ ଉପରେ କଟକଣା ଲଗାଇଛି ସାଉଦି ଆରବ। ଚଳିତ ଥର ୧୪ଟି ଦେଶ ଉପରେ ଭିସା ବ୍ୟାନ କରିଛି ଦେଶ। ହଜ୍ ଯାତ୍ରା ଋତୁ ଶେଷ ହେବା ପର୍ଯ୍ୟନ୍ତ ସାଉଦି ଆରବ ଭାରତ ସମେତ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରାହ, ବ୍ୟବସାୟ ଏବଂ ପାରିବାରିକ ଭ୍ରମଣ ଭିସା ପ୍ରଦାନକୁ ୨୦୨୫ ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛି। ତେବେ ଯେଉଁ ମାନଙ୍କୁ ପୂର୍ବରୁ ଉମରାହ ଭିସା ପ୍ରଦାନ କରାଯାଇଛି, ସେମାନେ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦେଶ ଭିତରେ ପ୍ରବେଶ କରି ପାରିବେ। ହଜ୍ ସରିବା ପର୍ଯ୍ୟନ୍ତ ୧୪ଟି ଦେଶର ନାଗରିକମାନଙ୍କୁ କୌଣସି ନୂତନ ଭିସା ପ୍ରଦାନ କରାଯିବ ନାହିଁ।
ଏହି ଭିସା ନିଲମ୍ବନ ଦ୍ୱାରା ପ୍ରଭାବିତ ହୋଇଥିବା ୧୪ଟି ଦେଶ ହେଉଛି: ଆଲଜେରିଆ, ବାଂଲାଦେଶ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାକ, ଜୋର୍ଡାନ, ମରୋକ୍କୋ, ନାଇଜେରିଆ, ପାକିସ୍ତାନ, ସୁଦାନ, ଟ୍ୟୁନିସିଆ ଏବଂ ୟେମେନ।
ହଜ୍ ଯାତ୍ରାରେ ଅନଧିକୃତ ଅଂଶଗ୍ରହଣକୁ ରୋକିବା ପାଇଁ ସାଉଦି ଆରବ ସରକାର ଏହି ନିୟମ ଲାଗୁ କରିଛନ୍ତି। ବିଦେଶୀ ମାନେ ପର୍ଯ୍ୟଟନ କିମ୍ବା ଉମରାହ ଭିସାରେ ଦେଶ ଭିତରେ ପ୍ରବେଶ କରି ସରକାରୀ ଅନୁମୋଦନ ବିନା ହଜ୍ ଯାତ୍ରାରେ ସାମିଲ ହେଉଛନ୍ତି। ହଜ୍ ଯାତ୍ରାରେ ସାମିଲ ହେବା ପାଇଁ ସରକାରୀ ସ୍ତରରେ ପଞ୍ଜୀକରଣ ବ୍ୟବସ୍ଥା ରହିଛି। ହେଲେ, କିଛି ପର୍ଯ୍ୟଟକ ପଞ୍ଜୀକରଣ ନ କରି ଏଥିରେ ସାମିଲ ହେଉଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁସାରେ କେଉଁ ଦେଶରୁ କେତେ ଲୋକ ହଜ୍ ଯାତ୍ରାରେ ଆସିବେ, ତା’ର ନିୟମ ମଧ୍ୟ ରହିଛି। ହେଲେ, ବ୍ୟାନ ହୋଇଥିବା ଦେଶର ନାଗରିକ ମାନେ ଏହି ନିୟମକୁ ଉଲ୍ଲଂଘନ କରି ଦେଶ ଭିତରେ ପ୍ରବେଶ କରି ବେଆଇନ ଭାବେ ଏଥିରେ ସାମିଲ ହେଉଛନ୍ତି।
ଅନଧିକୃତ ପ୍ରବେଶ ଦ୍ୱାରା ଭିଡ଼ ନିୟନ୍ତ୍ରଣ ଠିକ୍ ଭାବେ କରି ହେଉନାହିଁ। ପୂର୍ବ ବର୍ଷ ପ୍ରବଳ ଭିଡ଼ ମଧ୍ୟରେ ସଠିକ୍ ଭାବେ ନିୟନ୍ତ୍ରଣ ନ ହୋଇ ପାରିବା ଏବଂ ପ୍ରବଳ ଖରା ଯୋଗୁଁ ୧୨୦୦ ମୁସଲିମ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା। ସେହିପରି ବିନା ପଞ୍ଜୀକରଣରେ ହଜ୍ ଯାତ୍ରାରେ ସାମିଲ ହେଉଥିବାରୁ ତୀର୍ଥଯାତ୍ରୀମାନଙ୍କୁ ରହିବା, ପରିବହନ ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ମିଳୁନାହିଁ। ତେଣୁ ଏଭଳି ଘଟଣା ପୁନରାବୃତ୍ତି ନ ହେବା ପାଇଁ ଭିସା ନିୟମକୁ କଡ଼ାକଡ଼ି କରିବା ଜରୁରୀ ବୋଲି ଅଧିକାରୀ କହିଛନ୍ତି।