ନୂଆଦିଲ୍ଲୀ, ୦୯/୦୪: ଖସିଲା ରେପୋ ରେଟ୍। ସାଧାରଣ ଜନତାଙ୍କୁ ମିଳିଲା ଆଶ୍ୱସ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କୁ ହ୍ରାସ କରିଛି। ଏ ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ଏପ୍ରିଲ୍ ୭ ତାରିଖରୁ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକ ଶେଷ ହେବା ପରେ ଏହି ଘୋଷଣା କରିଛନ୍ତି ଗଭର୍ଣ୍ଣର।
ମୁଦ୍ରାସ୍ଫୀତି ୪% ତଳକୁ ଖସି ଆସିଥିବା ବେଳେ ଏବଂ ମନ୍ଥର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଚାହିଦାକୁ ସମର୍ଥନ କରିବା ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ତେବେ ଜାଣିଛନ୍ତି କି ରେପୋ ରେଟ୍ କ’ଣ?
ବ୍ୟାଙ୍କ ମାନଙ୍କର ବ୍ୟାଙ୍କ ହେଉଛି ରିଜର୍ଭ ବ୍ୟାଙ୍କ। ଯେପରି ଆମେମାନେ କୌଣସି କାମ ପାଇଁ ବ୍ୟାଙ୍କରୁ ଋଣ ଆଣିଥାଉ ଠିକ୍ ସେହିଭଳି ବ୍ୟାଙ୍କ ମାନେ ମଧ୍ୟ ନିଜର ଚାହିଦା ପୂରଣ ପାଇଁ ରିଜର୍ଭ ବ୍ୟାଙ୍କରୁ ଋଣ ଆଣିଥାନ୍ତି। ଆମେ ଯେପରି ଋଣ ଟଙ୍କାରେ ସୁଧ ଭରିଥାଉ, ବ୍ୟାଙ୍କ ମାନେ ମଧ୍ୟ ସେହିପରି ରିଜର୍ଭ ବ୍ୟାଙ୍କରୁ ଋଣ ଆଣି ସୁଧ ଭରିଥାନ୍ତି। ଏହି ହାରରେ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କକୁ ସୁଧ ଦେଉଥିବା ହାରକୁ ରେପୋ ରେଟ୍ କୁହାଯାଏ।
ଶସ୍ତା ହେବ କି ଗୃହ ଋଣ?
କମର୍ସିଆଲ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ପାଣ୍ଠି ଋଣ ଦେଇଥାଏ, ବ୍ୟାଙ୍କ ଗୁଡ଼ିକ ମଧ୍ୟ ସେହି ହାରରେ ପାଣ୍ଠି ଋଣ ଦେଇଥାନ୍ତି। ରେପୋ ରେଟ୍ ହ୍ରାସ ହେଲେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ପାଣ୍ଠି ସଂଗ୍ରହ ପାଇଁ କମ୍ ଖର୍ଚ୍ଚ କରିବାକୁ ପଡିଥାଏ। ରେପୋ ରେଟ୍ ବଢିଲେ ବ୍ୟାଙ୍କ ଗୁଡ଼ିକୁ ପାଣ୍ଠି ସଂଗ୍ରହ କରିବ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ। ଯାହା ଦ୍ୱାରା ବ୍ୟାଙ୍କ ଗୁଡ଼ିକ ଅଧିକ ସୁଧ ହାରରେ ଗ୍ରାହକଙ୍କୁ ଋଣ ଦେଇଥାଏ। ତେଣୁ ରେପୋ ରେଟ୍ ହ୍ରାସ ହେଲେ ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ଉପରେ ସୁଧ ମଧ୍ୟ ଅଳ୍ପ ହୋଇଥାଏ। ବ୍ୟାଙ୍କଗୁଡିକ କମ୍ ଋଣ ହାର ମାଧ୍ୟମରେ ଉପଭୋକ୍ତାଙ୍କୁ ଏହାର ଲାଭ ପହଞ୍ଚାଇବାରେ ସକ୍ଷମ ହୁଅନ୍ତି।