ହୋଟେଲରେ ବିଜେଡ଼ି ନେତାଙ୍କ ମେଳି

ବୈଠକରେ ବରିଷ୍ଠ ଓ ଯୁବ ନେତା ସାମିଲ

ଭୁବନେଶ୍ୱର, ୦୯/୦୪: ୱାକଫ୍ ବିଲକୁ ନେଇ ବିଜେଡ଼ିରେ ହଇଚଇ ସୃଷ୍ଟି ହୋଇଥିବା ରାଜ୍ୟ ରାଜନୀତି ମଧ୍ୟ ବର୍ତ୍ତମାନ ଗରମାଗରମ ରହିଛି। ୱାକଫ ବିଲ୍ ସପକ୍ଷରେ ଭୋଟ ଦେବା ପାଇଁ କିଛି ଷଡ଼ଯନ୍ତ୍ର ହୋଇଥିବା ବିଜେଡ଼ିର କିଛି ବରିଷ୍ଠ ନେତା ଦାବି କରୁଥିବା ବେଳେ ଏହାକୁ ତଦନ୍ତ ପରିସରଭୁକ୍ତ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ଏହାରି ମଧ୍ୟରେ ଆଜି ବିଜେଡ଼ିର କିଛି ବରିଷ୍ଠ ଓ ଯୁବ ନେତା ଏକାଠି ମେଳି ହୋଇ ବୈଠକ କରିଛନ୍ତି। ଭୁବନେଶ୍ୱର ପଟିଆସ୍ଥିତ ଏକ ହୋଟେଲରେ ବିଜେଡି ନେତାଙ୍କ ବୈଠକ ହୋଇଛି। ଉକ୍ତ ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ନରସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ, ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକ କାହିଁକି ଅନୁଷ୍ଠିତ ହେଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ ନେତାଙ୍କ ବୈଠକ ପରେ ଶଶିଭୂଷଣ ବେହେରା କହିଛନ୍ତି ଯେ, ଯଦି ବାହ୍ୟ ଶକ୍ତି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି, ତେବେ ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି।