ଦିଲ୍ଲୀରେ ପହଞ୍ଚିଲା ତହୱୁର ରାଣା

ତିହାର ଜେଲ ହେବ ନୂଆ ଠିକଣା

ନୂଆଦିଲ୍ଲୀ, ୧୦/୦୪: ୨୦୦୮, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା ଆମେରିକାରୁ ପ୍ରତ୍ୟର୍ପଣ ହେବା ପରେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀର ପାଲାମ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ୨ଟା ୫୦ ମିନିଟରେ ପହଞ୍ଚିଛି ତହୱୁର। ଭାରତୀୟ ଗୁଇନ୍ଦା (ର’) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଧିକାରୀଙ୍କ ଏକ ମିଳିତ ଟିମ୍ ଆମେରିକାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆଣିଥିଲେ। ଏ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଆଇଏ ତହୱୁରକୁ ଗିରଫ କରି ଭର୍ଚୁଆଲ ଭାବେ କୋର୍ଟଚାଲାଣ କରିବ। ଏହା ପରେ ତହୱୁରକୁ ବିଚାର ବିଭାଗୀୟ ହାଜତକୁ ନିଆଯିବ। ତିହାର ଜେଲର ହାଇ ସିକ୍ୟୁରିଟି ୱାର୍ଡରେ ତାକୁ ରଖାଯିବ।

ପ୍ରତ୍ୟର୍ପଣ ପରେ ରାଣାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବାର ଥିବାରୁ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଣାଙ୍କୁ ଦିଲ୍ଲୀର ତିହାର ଜେଲର ହାଇ ସିକ୍ୟୁରିଟି ୱାର୍ଡରେ ରଖାଯିବ। ତେବେ ୧୬ ବର୍ଷ ପରେ ଆତଙ୍କୀ ହାମଲାର ଶିକାର ହୋଇଥିବା ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ ମିଳିବ।