ପଶ୍ଚିମବଙ୍ଗରେ ୱାକଫ ନିଆଁ ପଛରେ ବାଂଲାଦେଶୀଙ୍କ ହାତ

ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାରେ ବିଫଳ ମମତା ସରକାର: କେନ୍ଦ୍ରୀୟ ରିପୋର୍ଟ

ନୂଆଦିଲ୍ଲୀ, ୧୫/୦୪: ଓ୍ଵାକଫ୍ ଆଇନକୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ପଛରେ କିଛି ବାଂଲାଦେଶୀ ଦୁବୃର୍ତ୍ତଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ବିଫଳ ହୋଇଥିଲେ ଟିଏମସି ସରକାର। ଯାହା ଫଳରେ ଅନୁପ୍ରବେଶକାରୀ ମାନେ ଦେଶ ଭିତରେ ପଶି ୱାକଫ ଆଇନକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲେ। ଏହି ଦଙ୍ଗା ପରିସ୍ଥିତିରେ ମୁର୍ସିଦାବାଦ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।

୮୦,୪୮୦ରୁ ଅଧିକ ଓ୍ଵାକଫ୍ ସମ୍ପତ୍ତି ଥିବା ପଶ୍ଚିମବଙ୍ଗରେ ଓ୍ଵାକଫ୍ ସମ୍ପତ୍ତି ନିୟନ୍ତ୍ରଣରେ ସରକାରଙ୍କ ଭୂମିକାକୁ ବିରୋଧ କରି ଏହି ଆନ୍ଦୋଳନ ଦେଖା ଦେଇଥିଲା। ମୁର୍ଶିଦାବାଦ ଜିଲ୍ଲାର ସୁତି ଓ ସମସେରଗଞ୍ଜରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଦୁର୍ବୃତ୍ତମାନେ ଅନେକ ଦୋକାନ ଓ ଗାଡିରେ ନିଆଁ ଲଗାଇ ଦେବା ସହ ସ୍ଥାନୀୟ ଲୋକଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଯାହା ଫଳରେ ଭୟଭୀତ ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ଏ‌ହି ସ୍ଥାନ ଛାଡି ପଳାଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୧୦ ଜଣଙ୍କୁ ଗିରଫ କରାଯାଇଛି। ମୁର୍ଶିଦାବାଦରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି।