ଧର୍ମଶାଳାରେ ପୂର୍ବତନ ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି
ଘଟଣାସ୍ଥଳରେ ପୋଲିସ ସାଜିଥିଲା ନୀରବଦ୍ରଷ୍ଟା। ଘଟଣାର ଆଠ ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତମାନେ ଗିରଫ ହୋଇ ନାହାନ୍ତି।
ବିଧାୟକ ହିମାଂଶୁ ସାହୁଙ୍କ ସହିତ ଗଣ୍ଡଗୋଳକାରୀଙ୍କ ସମ୍ପୃକ୍ତିର ପ୍ରମାଣ ଦେଲା ବିଜେଡି
ଭୁବନେଶ୍ୱର, ୧୬/୦୪: ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ସାହୁଙ୍କ ସମର୍ଥକ ବୋଲି ଦଳ ଅଭିଯୋଗ କରିବା ସହିତ ଘଟଣାକୁ ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ନେତା ତଥା କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଘଟଣାକୁ ନିନ୍ଦା କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଥିଲେ । ଗଣ୍ଡଗୋଳ ସମୟର ଭିଡିଓ ଫୁଟେଜ ସାମ୍ୱାଦିକ ସମ୍ମିଳନୀରେ ଦର୍ଶାଇବା ସହ ଗଣ୍ଡଗୋଳକାରୀ ମାନଙ୍କ ସହିତ ବିଧାୟକ ଓ ବିଜେପି ଦଳର ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରାଯାଇଥିଲା ।
ଶ୍ରୀ ଦାସବର୍ମା କହିଥିଲେ, ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଆରୁହା ଗ୍ରାମରେ ଥିବା ଏକ ମନ୍ଦିରର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାର ତିନି ଦିନ ପୂର୍ବରୁ ଗଣ୍ଡଗୋଳର ଆଶଙ୍କା କରି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପରେ ସେଠାକୁ ଯିବା ଦିନ ଯାଜପୁର ଜିଲ୍ଲା ଏସପିଙ୍କୁ ମଧ୍ୟ ଅବଗତ କରାଇବା ସହିତ ତାଙ୍କପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏସବୁ ସତ୍ତ୍ୱେ, ପୋଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ ।
ଗଣ୍ଡଗୋଳର ଭିଡିଓ ଫୁଟେଜ ପ୍ରଦର୍ଶନ ହେବା ପରେ ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ, ଭିଡିଓରେ ଆପଣମାନେ ସ୍ପଷ୍ଟ ଦେଖି ପାରୁଛନ୍ତି, ଧର୍ମଶାଳାର ବର୍ତ୍ତମାନର ବିଧାୟକଙ୍କ ସହିତ ଆକ୍ରମଣକାରୀମାନଙ୍କ ସଂପୃକ୍ତି ରହିଛି । ନିର୍ବାଚନ ପରେ ଧର୍ମଶାଳାରେ ବିଧାୟକଙ୍କ ନେତୃତ୍ତ୍ୱରେ ସମ୍ପୃକ୍ତ ବ୍ୟକ୍ତିମାନେ ଅରାଜକତା ଚଳାଇ ଆସୁଛନ୍ତି । ପୋଲିସ କେବଳ ନୀରବଦ୍ରଷ୍ଟା ସାଜି ନାହିଁ ବରଂ ସେମାନଙ୍କୁ ସହଯୋଗ କରୁଛି । ଘଟଣାକୁ ସାତ ଆଠ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ମୋ ସହିତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଓ ଘଟଣାରେ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।
ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ହତ୍ୟା, ଦୁଷ୍କର୍ମ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ଧର୍ମଶାଳା ବିଧାୟକଙ୍କ ପ୍ରରୋଚନାରେ ଏହି ଆକ୍ରମଣ ହୋଇଥିବା ବେଳେ, ସେଦିନ ସେ ଧର୍ମଶାଳାରେ ଉପସ୍ଥିତି ନଥିବା ମନ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ ସଦୃଶ୍ୟ । ରାଜ୍ୟ ସରକାର ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରନ୍ତୁ ବୋଲି ଶ୍ରୀ ରାୟ କହିଥିଲେ ।
ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ, ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ ତେବେ ସାଧାରଣ ଜନତାଙ୍କ ସୁରକ୍ଷା କିଏ ବୁଝିବ? ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନକରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।