ଆଜି ବିଶ୍ୱ ହିମୋଫିଲିଆ ଦିବସ: ବେଳହୁଁ ସାବଧାନ ନହେଲେ ଘାତକ ସାଜିବ ହିମୋଫିଲିଆ ରୋଗ
ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥିଲେ ଭାରତର ଏହି ମହାନ ବ୍ୟକ୍ତି
ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୧୭ ଏପ୍ରିଲ୍ ୨୦୨୫
ବିଶ୍ୱ ହିମୋଫିଲିଆ ଦିବସ: ୧୯୮୯ ମସିହାରେ ‘ୱାର୍ଲ୍ଡ ଫେଡେରେସନ୍ ଅଫ୍ ହିମୋଫିଲିଆ’ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱ ହିମୋଫିଲିଆ ଦିବସ ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ। ଏହି ସଂଗଠନର ସଂସ୍ଥାପକ ଫ୍ରାଙ୍କ ସ୍ନାବେଲଙ୍କ ସ୍ମୃତିରେ ତାଙ୍କ ଜନ୍ମଦିବସରେ ଏହି ଦିବସ ପାଳନ କରାଯାଏ। ହିମୋଫିଲିଆ ଏକ ରକ୍ତ ସମ୍ବନ୍ଧୀୟ ରୋଗ। ଏହି ରୋଗର ହେଲେ ରୋଗୀର ରକ୍ତ ସଞ୍ଚାଳନରେ ବାଧାପ୍ରାପ୍ତ ହୁଏ ଏବଂ ରକ୍ତଜମାଟ ବାନ୍ଧୁଥିବା ପ୍ରୋଟିନ ଅଭାବ ଦେଖା ଦେଇଥାଏ। ଯାହାଫଳରେ ଏହି ରୋଗୀଙ୍କର ଶରୀରର ଗଣ୍ଠି ସ୍ଥାନରେ ରକ୍ତସ୍ରାବ ହୋଇଥାଏ ଏବଂ ରକ୍ତ ଜମାଟ ବାନ୍ଧିବାରେ ବହୁତ ସମୟ ଲାଗିଥାଏ। ହିମୋଫିଲିଆ ଦୁଇ ପ୍ରକାରର ଏ ଓ ବି। ହିମୋଫିଲିଆ-ଏ ରେ ଫ୍ୟାକଫର-8 ସ୍ତର କମ୍ କିମ୍ବା ଆଦୌ ନଥାଏ। ହିମୋଫିଲିଆ-ବି ରେ ଫ୍ୟାକଫର-9 ଅଭାବ ଥାଏ। ଶରୀରରେ କ୍ରୋମୋଜମ ପ୍ରଣାଳୀ ବିଗିଡି଼ବା କାରଣରୁ ମଧ୍ୟ ଏହି ରୋଗ ହୋଇଥାଏ। ଏହି ରୋଗରେ ରକ୍ତସ୍ରାବ ହେଉଥିବା କାରଣରୁ ଶରୀରରେ ରକ୍ତର ଅଭାବ ଦେଖା ଦେଇଥାଏ। ତେଣୁ ପ୍ରଚୁର ରକ୍ତସ୍ରାବ ହେଲେ ଏହି ରୋଗ ଶରୀର ପାଇଁ ଘାତକ ହୋଇପାରେ। ଏଥିପାଇଁ ଡାକ୍ତରୀ ଚିକିତ୍ସା ରହିଥିଲେ ମଧ୍ୟ ଖାଦ୍ୟ ପ୍ରଣାଳୀ ଦ୍ୱାରା ମଧ୍ୟ ଏହି ରୋଗକୁ ଯଥେଷ୍ଟ ଠିକ୍ କରିହେବ। ଭିଟାମିନ ବି-୬ ଓ ଭିଟାମିନ ବି-୧୨ ସେବନ ଦ୍ୱାରା ଏହି ରୋଗକୁ ଅନେକାଂଶରେ କମ୍ କରିହେବ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ବିନୋଦାନନ୍ଦ ଝା (୧୭ ଅପ୍ରେଲ ୧୯୦୦ – ୧୯୭୧) ଜଣେ ଭାରତୀୟ ଜାତୀୟ କଂଗ୍ରେସ ରାଜନୀତିଜ୍ଞ ଥିଲେ। ସେ ବିହାରର ପୂର୍ବତନ ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ।
୨. ଥାକାଜୀ ଶିବଶଙ୍କର ପିଲ୍ଲାଇ (୧୭ ଅପ୍ରେଲ ୧୯୧୨ – ୧୦ ଅପ୍ରେଲ ୧୯୯୯) ଜଣେ ମାଲାୟାଲାମ ଲେଖକ ଥିଲେ। ତାଙ୍କ ରଚିତ ଉପନ୍ୟାସ ‘ଚେମ୍ମିନ୍’ ପାଇଁ ତାଙ୍କୁ ୧୯୫୭ମସିହାରେ ‘ସାହିତ୍ୟ ଏକାଡେମୀ ପୁରସ୍କାର’ ଏବଂ ୧୯୮୪ମସିହାରେ ‘ଜ୍ଞାନପୀଠ ପୁରସ୍କାର’ ପ୍ରଦାନ କରାଯାଇଥିଲା।
୩. ବେନୋ ଜେଫିନ୍ (୧୭ ଏପ୍ରିଲ୍ ୧୯୯୦), ଭାରତର ପ୍ରଥମ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଆଇଏଫ୍ଏସ୍ ଅଧିକାରୀ। ସେ ତାମିଲନାଡୁର ବାସିନ୍ଦା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସର୍ବପଲ୍ଲୀ ରାଧାକ୍ରିଷ୍ଣନ (୫ ସେପ୍ଟେମ୍ବର ୧୮୮୮ – ୧୭ ଅପ୍ରେଲ ୧୯୭୫), ଜଣେ ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷକ ଥିଲେ ଏବଂ ୧୯୬୨ରୁ ୧୯୬୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ। ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଦୁଇଥର ସେ ଭାରତର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି ଥିଲେ। ସେ League of Nations’ Committee for Intellectual Co-operationର ପରାମର୍ଶଦାତା ରୂପେ ନିଯୁକ୍ତି ପାଇ ୧୯୩୯ ମସିହା ପର୍ଯ୍ୟନ୍ତ ଏହି ଭୂମିକାରେ ଥିଲେ। ସେ ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥିଲେ। ରାଧାକ୍ରିଷ୍ଣନ୍ ତାଙ୍କ ଜୀବନର ୪୦ ବର୍ଷ ଜଣେ ଶିକ୍ଷକତା କରିଥିଲେ। ଭାରତ ସ୍ୱାଧୀନ ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ରେ ଅଧ୍ୟକ୍ଷତା କରିଥିଲେ। ସେ “The Ethics of Vedants” ନିବନ୍ଧ ରଚନା କରି ଡକ୍ଟରେଟ ଉପାଧି ପାଇଥିଲେ। ୧୯୬୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରଥମ ଫେଲୋ ଥିଲେ। ୧୯୬୮ରେ ସେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ପାଇଥିଲେ।
୨. ବ୍ରିଗେଡିୟର ଭବାନୀ ସିଂହ (୨୨ ଅକ୍ଟୋବର ୧୯୩୧ – ୧୭ ଅପ୍ରେଲ ୨୦୧୧) ଜୟପୁରର ମହାରାଜା ଥିଲେ। ବାଂଲାଦେଶ ଯୁଦ୍ଧରେ ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧରେ ତାଙ୍କର ସାହସିକତା ପାଇଁ ତାଙ୍କୁ ୧୯୭୨ ମସିହାରେ ‘ମହାବୀର ଚକ୍ର’ ପ୍ରଦାନ କରାଯାଇଥିଲା। ମହାରାଜା ସୱାଇ ଭବାନୀ ସିଂହ ୨୪ ଜୁନ ୧୯୭୦ରୁ ୨୮ ଡିସେମ୍ବର ୧୯୭୧ ପର୍ଯ୍ୟନ୍ତ ଜୟପୁରର ମହାରାଜା ଥିଲେ। ଏହାପରେ ସେ ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ। ଅବସର ପରେ ତାଙ୍କୁ ବ୍ରିଗେଡିୟର ପାହ୍ୟା ପ୍ରଦାନ କରାଯାଇଥିଲା।
୩. ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ ୧୯୧୨ – ୧୭ ଅପ୍ରେଲ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ, କବି ଓ ସାମ୍ବାଦିକ ଥିଲେ। ରାମାୟଣର ତାମିଲ ସଂସ୍କରଣ ରାମାବତାରମ୍ (କାମ୍ବା ରାମାୟଣମ୍ ନାମରେ ମଧ୍ୟ ଜଣାଶୁଣା) କୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। ତାଙ୍କର ଅନ୍ୟ ଅନୁବାଦିତ କୃତି ଗୁଡ଼ିକ ହେଲା “ରମଣ ମହର୍ଷି” ଏବଂ “ସ୍ୱରାଜସଂହିତା”।
୪. ଭି.ଏସ୍ ରମାଦେବୀ (୧୫ ଜାନୁଆରୀ ୧୯୩୪ – ୧୭ ଅପ୍ରେଲ ୨୦୧୩) ଭାରତର ପ୍ରଥମ ମହିଳା ଯିଏ କି ମୁଖ୍ୟ ନିର୍ବାଚନ କମିଶନର ପଦରେ ଥିଲେ। ସେ ୨୬ ନଭେମ୍ବର ୧୯୯୦ରୁ ୧୧ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିଲେ। ସେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପଦରେ ମଧ୍ୟ ରହିଥିଲେ। ସେ ୧ ଜୁଲାଇ ୧୯୯୩ରୁ ୨୫ ଜୁଲାଇ ୧୯୯୭ ପର୍ଯ୍ୟନ୍ତ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୪୧ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ସାମ୍ନାରେ ଯୁଗୋସ୍ଲାଭିଆ ଆତ୍ମସମର୍ପଣ କରିଥିଲା।
୧୯୪୬ – ଫ୍ରାନ୍ସ ଠାରୁ ସ୍ୱାଧୀନତା ପାଇଥିଲା ସିରିଆ।
୧୯୭୦ – ଆପୋଲୋ-୧୩ ମହାକାଶଯାନ ଚନ୍ଦ୍ର ଅଭିଯାନ ସମୟରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିଲା। ଉଡ଼ାଣରେ ଗୁରୁତର ତ୍ରୁଟି ପରେ ବି ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇବା ଉଦ୍ଦେଶ୍ୟରେ ଆପୋଲୋ-୧୩ ମିଶନ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିଲା। ଏକ ଅମ୍ଳଜାନ ଟ୍ୟାଙ୍କ ବିସ୍ଫୋରଣରେ ମହାକାଶଯାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ, ଏଥିରେ ଥିବା ମହାକାଶଚାରୀ ଜେମ୍ସ ଲଭେଲ, ଫ୍ରେଡ୍ ହାଇଜ ଏବଂ ଜନ୍ ସ୍ୱିଗର୍ଟ ସୁରକ୍ଷିତ ଭାବେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
୧୯୭୧ – ଇଜିପ୍ଟ, ଲିବିଆ ଓ ସିରିଆ ମିଳିତ ଆରବ ରାଷ୍ଟ୍ର ଗଠନ ପାଇଁ ସଂଘ ଗଠନ କରିଥିଲେ।
୧୯୮୨ ମସିହାରେ କାନାଡା ସମ୍ବିଧାନକୁ ଗ୍ରହଣ କରିଥିଲା।
୧୯୮୨ – ଆମେରିକା ନେଭାଡା ଟେଷ୍ଟ ସାଇଟରେ ପରମାଣୁ ପରୀକ୍ଷଣ କରିଥିଲା।
୧୯୯୩ – ମହାକାଶ ଯାନ ଏସଟିଏସ-୫୬ ଡିସ୍କଭରୀ ପୃଥିବୀକୁ ଫେରିଥିଲା।