ଭାରତ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ପତ୍ନୀ ଉଷା

ପରିବାର ସହିତ ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ।

ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗାର୍ଡ ଅଫ୍ ଅନର ପ୍ରଦାନ

ନୂଆଦିଲ୍ଲୀ, ୨୧/୦୪: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। କ୍ଷମତାକୁ ଆସିବା ପରେ ଜେଡି ଭାନ୍ସଙ୍କ ଏହା ପ୍ରଥମ ସରକାରୀ ଗସ୍ତ। ଭାନ୍ସଙ୍କ ସହ ତାଙ୍କ ପତ୍ନୀ ଉଷା ଓ ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାରତ ଗସ୍ତରେ ଆସି ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦିଲ୍ଲୀର ପାଲାମ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ। ଏହା ପରେ ଭାନ୍ସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକରେ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବାର ଅଛି ବୋଲି ଜଣାପଡ଼ିଛି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ପ୍ରମୁଖ ଯୋଗ ଦେବେ।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଉଷା ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବେ। ଏପ୍ରିଲ ୨୨ରେ ଭାନ୍ସ ଜୟପୁର ଗସ୍ତ କରିବା ସହ ଐତିହାସିକ ଆମେର ଦୁର୍ଗ ଏବଂ ଅନ୍ୟାନ୍ୟ ଐତିହ୍ୟ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଭାନ୍ସ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଏକ ସମାବେଶକୁ ସମ୍ବୋଧିତ କରିବେ। ୨୩ରେ ସେମାନେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବା ପରେ ସେଦିନ ସନ୍ଧ୍ୟାରେ ଜୟପୁର ଫେରିବେ।